ଭାରତ ବନ୍ଦ ସଫଳ! ଲୋକେ ହନ୍ତସନ୍ତ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଚାଷୀମାନେ ଦେଇଥିବା ୧୦ ଘଂଟିଆ ଭାରତ ବନ୍ଦ ବେଶ ସଫଳତାର ସହ ଶେଷ ହୋଇଥିବା କୃଷକ ନେତାମାନେ ଦାବି କରିଛନ୍ତି । କିଛି ହାତ ଗଣତି ସ୍ଥାନକୁ ଛାଡ଼ି ଦେଲେ ଭାରତ ବନ୍ଦ ସବୁଆଡ଼େ ପାଳନ କରାଯାଇଛି । ବିଶେଷ କରି ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ, ହରିଆଣା ଓ ପଞ୍ଜାବରେ ବନ୍ଦର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ଚାଷୀଙ୍କ ସହ ବିଭିନ୍ନ ରାଜନୀତିକ ଦଳ, ଛାତ୍ର ଓ ଶ୍ରମିକ ସଂଗଠନ ଏକାଠି ହୋଇଛି ଭାରତ ବନ୍ଦକୁ ସଫଳ କରାଇଛନ୍ତି । ଦୋକାନ ବଜାର ଠାରୁ ଆରମ୍ଭ କରି ଟ୍ରେନ, ବସ, ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଆଜି ଠପ ହୋଇଯାଇଥିଲା । ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ପିକେଟିଂ କରିଛନ୍ତି । କୃଷି ଆଇନ ପ୍ରତ୍ୟାହାର ଓ ଦରଦାମ ବୃଦ୍ଧିକୁ ବିରୋଧ କରି ଆଜି ସକାଳ ୬ରୁ ଅପରାହ୍ନ ୪ଟା ଯାଏ ଭାରତ ବନ୍ଦ ଡାକରା ଦିଆଯାଇଥିଲା ।ଭାରତ ବନ୍ଦ ବେଶ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାରୁ ଚାଷୀ ନେତା ରାକେଶ ଟିକାୟତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ କେବଳ ୩ଟି ରାଜ୍ୟରେ ସୀମିତ ବୋଲି କହୁଥିବା ଲୋକଙ୍କ ଗାଲରେ ଏପରି ବନ୍ଦ ଶକ୍ତ ଚାପୁଡ଼ା ବୋଲି ସେ କହିଛନ୍ତି । ଅପରାହ୍ନ ୪ଟାରେ ବନ୍ଦର ସମୟସୀମା ଶେଷ ହୋଇଥିଲା । ଏହାପରେ ରାକେଶ ଟିକାୟତ କହିଛନ୍ତି, ଭାରତ ବନ୍ଦ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଡାକରା ସଫଳ ହୋଇଛି । ସମଗ୍ର ଦେଶରେ ଚାଷୀମାନେ ରାସ୍ତାକୁ ଓହ୍ଲାଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଭାରତ ବନ୍ଦକୁ ଚାଷୀଙ୍କ ସହ ଶ୍ରମିକ, ବ୍ୟବସାୟୀ, କର୍ମଚାରୀ, ରାଜନୀତିକ ଦଳ ଓ ଛାତ୍ର ସଂଘମାନେ ସମର୍ଥନ କରିଛନ୍ତି ।
ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରା ଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଦେଶର କୌଣସି ପ୍ରାନ୍ତରେ ମଧ୍ୟ ବନ୍ଦ ବେଳେ ହିଂସା ଘଟନି । ଏଥିପାଇଁ ଚାଷୀମାନେ ଶ୍ରମିକ ଓ ସାଧାରଣ ଲୋକଙ୍କୁ ଧନ୍ୟବାଦ ଜଣାଉଛନ୍ତି । ଯେଉଁ ପର୍ଯ୍ୟନ୍ତ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ହୋଇନି ଓ ଏମଏସ୍?ପି ଉପରେ ଆଇନଗତ ମାନ୍ୟତା ମିଳିନି, ସେ ଯାଏ ଚାଷୀମାନେ ଆନ୍ଦୋଳନ ଜାରି ରଖିବେ । ସରକାର ଚାଷୀଙ୍କ ସମସ୍ୟା ସମାଧାନ କରନ୍ତୁ । ଉତ୍ତର ପ୍ରଦେଶରେ ଆଖୁ ଚାଷୀଙ୍କ ପାଇଁ ଘୋଷଣା କରାଯାଇଥିବା ଦର ବୃଦ୍ଧି କେବଳ ପରିହାସ କରିବା ସହ ସମାନ । ଆଖୁର ଦାମ ବୃଦ୍ଧି ପାଇଁ ମଧ୍ୟ ପୁଣି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ । ଚାଷୀଙ୍କ ଆନ୍ଦୋଳନ କେବଳ ୩ଟି ରାଜ୍ୟରେ ସୀମିତ ଥିବା ଲୋକମାନେ ସେମାନଙ୍କ ଆଖି ଖୋଲନ୍ତୁ । ଆଜି ସମଗ୍ର ଦେଶରେ ବନ୍ଦ ପାଳନ ହୋଇଛି । ଏହା ସେଭଳି କଥା କହୁଥିବା ଲୋକଙ୍କ ଗାଲରେ ଶକ୍ତ ଚାପୁଡ଼ା ବୋଲି ରାକେଶ ଟିକାୟତ କହିଛନ୍ତି । ଭାରତ ବନ୍ଦ ଯୋଗୁ ଲୋକମାନେ କିଛି ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଶ୍ରୀ ଟିକାୟତ ଦୁଃଖପ୍ରକାଶ କରିଛନ୍ତି । ଚାଷୀଙ୍କ ସ୍ୱାର୍ଥ ପାଇଁ ଲୋକମାନେ ଏହି କଷ୍ଟକୁ ସହ୍ୟ କରି ନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି । ରାକେଶ ଟିକାୟତ କହିଛନ୍ତି, “ଦୀର୍ଘ ୧୦ ମାସ ହେଲା ଚାଷୀମାନେ ନିଜ ଘର ଛାଡ଼ି ରାସ୍ତାରେ ପଡ଼ି ରହିଛନ୍ତି । କିନ୍ତୁ ଅନ୍ଧ ଓ କାଲ ସରକାର କିଛି ବି ଦେଖୁ ନାହାନ୍ତି କିମ୍ବା ଶୁଣୁ ନାହାନ୍ତି ।
