ଭଜନଲାଲ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ, ଦୀୟା କୁମାରୀ ଓ ପ୍ରେମ ଚନ୍ଦ ବୈରଭା ଉପ-ମୁଖ୍ୟମନ୍ତ୍ରୀ
ଜୟପୁର : ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରି ଏଠାରେ ନୂଆ ମୁଖ୍ୟମନ୍ତ୍ରୀ ଆସନରେ ନୂଆ ପ୍ରାର୍ଥୀଙ୍କୁ ବସାଇଛି ବିଜେପି । ଆଉ ଏକ ନୂଆ ଚେହେରା ଉପରେ ବିଜେପି ଶୀର୍ଷ ନେତୃବୃନ୍ଦଙ୍କ ଭରସା । ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ପରି ରାଜସ୍ଥାନରେ ବି ବିଜେପିର ସରପ୍ରାଇଜ । ଦିଲ୍ଲୀରୁ ଆସିଥିବା ପର୍ଯ୍ୟବେକ୍ଷକ ବିଧାୟକଙ୍କ ସହ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଧାୟକ ଭଜନଲାଲ ଶର୍ମାଙ୍କ ନାଁ ଘୋଷଣା କରାଯାଇଛି । ପ୍ରଥମ ଥର ବିଧାୟକ ହୋଇଥିବା ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ।
ଆଜି ଜୟପୁରରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଭଜନଲାଲ ଶର୍ମାଙ୍କୁ ନେତା ନିର୍ବାଚିତ କରାଯାଇଛି। ରାଜସ୍ଥାନ ବିଜେପିରେ ଜଣେ ଦକ୍ଷ ସଙ୍ଗଠକ ଭାବେ ଜଣାଶୁଣା ଭଜନଲାଲ ଶର୍ମା ସାଙ୍ଗନେର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଭଜନଲାଲ ଶର୍ମାଙ୍କୁ ନବ ନିର୍ବାଚିତ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ଭଜନଲାଲ ଶର୍ମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟତମ ଭାବେ ଜଣାଶୁଣା। ସେହିପରି ଦୀୟା କୁମାରୀ ଓ ପ୍ରେମ ଚନ୍ଦ ବୈରଭା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ । ରାଜ୍ୟ ବିଧାନସଭା ଅଧ୍ୟକ୍ଷ ପାଇଁ ବାସୁଦେବ ଦେବନାନୀ ନାଁ ଘୋଷଣା କରାଯାଇଛି ।
ମୁଖ୍ୟମନ୍ତ୍ରୀ ପଦ ପାଇଁ ଭଜନଲାଲ ଶର୍ମାଙ୍କ ନାଁର ପ୍ରସ୍ତାବ ବସୁନ୍ଧରା ରାଜେ ରଖିଥିଲେ । କେନ୍ଦ୍ର ପର୍ଯ୍ୟବେକ୍ଷକ ରାଜନାଥ ସିଂ, ସହ-ପର୍ଯ୍ୟବେକ୍ଷକ ବିନୋଦ ତାୱେଡ ଓ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ନବନିର୍ବାଚିତ ବିଧାୟକମାନେ ସର୍ବସମ୍ମତିରେ ଏହି ନିଷ୍ପତ୍ତି ନେଇଛନ୍ତି । ଭରତପୁର ଆସୁଥିବା ଭଜନଲାଲ ଶର୍ମା ସଂଗଠନ ପାଇଁ ଦୀର୍ଘ ଦିନ କାର୍ଯ୍ୟ କରି ଆସୁଥିଲେ । ସେ ରାଜ୍ୟ ବିଜେପିର ସଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ବିଜେପି ପ୍ରଥମ ଥର ପାଇଁ ଜୟପୁରର ସାଙ୍ଗାନେର ପରି ସୁରକ୍ଷିତ ଆସନରୁ ତାଙ୍କୁ ମୈଦାନକୁ ଓହ୍ଲାଇଥିଲା ଓ ସେ ପ୍ରଥମ ଥରରେ ହିଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏଠାରେ ବିଧାୟକ ଅଶୋକ ଲାହୋଟିଙ୍କ ଟିକଟ କାଟି ଭଜନଲାଲ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଥିଲା ।
ସୂଚନା ଯେ, ସାଙ୍ଗାନେର ଆସନକୁ ବିଜେପିର ଗଡ଼ କୁହାଯାଏ । ଏଠାରେ ସେ କଂଗ୍ରେସ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଭାରଦ୍ୱାଜଙ୍କୁ ୪୮୦୮୧ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଭଜନଲାଲ ଶର୍ମା ଚାରି ଥର ପ୍ରଦେଶ ମହାମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏବିଭିପି ଓ ଆରଏସଏସ ସହ ସେ ଜଡିତ ଥିଲେ । ସଂଘ ଓ ସଂଗଠନ ଉଭୟର ସହ ନିକଟତର ଥିବା କୁହାଯାଉଛି ।
