ଭୟୁଜୀ ମହାରାଜ ଆତ୍ମହତ୍ୟା ମାମଲା, ୩ ଦୋଷୀ ସାବ୍ୟସ୍ତ
ଇନ୍ଦୋର : ଭୟୁଜୀ ମହାରାଜ ଆତ୍ମହତ୍ୟା ମାମଲାରେ ଇନ୍ଦୋର କୋର୍ଟ ଏକ ବଡ ରାୟ ଦେଇଛନ୍ତି । ମଧ୍ୟପ୍ରଦେଶର ପ୍ରସିଦ୍ଧ ଭୟୁଜୀ ମହାରାଜ ଆତ୍ମହତ୍ୟା ମାମଲାରେ ସେ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଇନ୍ଦୋର ଜିଲ୍ଲା କୋର୍ଟ ମୁଖ୍ୟ ସେବାଦାର ବିନାୟକ, ଡ୍ରାଇଭର ଶରତ ଏବଂ ଶିଷ୍ୟା ପଲକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ତିନିଜଣଙ୍କୁ ୬ ବର୍ଷ ଲେଖାଏଁ ଦଣ୍ଡରେ ଦଣ୍ଡିତ କରାଯାଇଛି ।
ଭୟୁଜୀ ମହାରାଜଙ୍କ ଆତ୍ମହତ୍ୟା ମାମଲାରେ ଏହି ତିନିଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅଭିଯୁକ୍ତମାନେ ଟଙ୍କା ପାଇଁ ମହାରାଜଙ୍କୁ ନିର୍ଯାତନା ଦେଉଥିଲେ । ଆଇପିସିର ଧାରା ୩୦୬ ଅନୁଯାୟୀ ଶିଷ୍ୟା ପଲକ, ଶରତ ଏବଂ ବିନାୟକଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିରେ ପଲକ ତାଙ୍କର ଶିଷ୍ୟ ଅଟନ୍ତି । ତେବେ ବିନୟ ତାଙ୍କର ସେବକ ଏବଂ ଶରତ ଭୟୁଜୀଙ୍କର ଡ୍ରାଇଭର ଥିଲେ । ସୂଚନା ଯେ, ଭୟୁଜୀ ମହାରାଜ ୨୦୧୮ ରେ ଜୁନ୍ ୧୨ ରେ ନିଜର ଲାଇସେନ୍ସପ୍ରାପ୍ତ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଇନ୍ଦୋରର ଭୟୁଜୀ ମହାରାଜ ଆତ୍ମହତ୍ୟା ମାମଲାରେ ଜାନୁଆରୀ ୨୦୧୯ରେ ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହା ପରେ ମଧ୍ୟ ଏହା ସାମ୍ନାକୁ ଆସିଥିଲା ଯେ ତିନିଜଣ ଏକାଠି ହୋଇ ମହାରାଜଙ୍କୁ ଆର୍ôଥକ ଏବଂ ମାନସିକ ସ୍ତରରେ ଶୋଷଣ କରୁଥିଲେ । ଭୟୁଜୀ ମହାରାଜ ତାଙ୍କ ସୁଇସାଇଡ ନୋଟରେ ବିନାୟକଙ୍କ ନାଁ ଉଲ୍ଲେଖ କରିଛନ୍ତି, କାରଣ ସେ ଭୟୁଜୀଙ୍କ ୧୬ ବର୍ଷ ଧରି ବିଶ୍ୱସ୍ତ ସେବକ ଥିଲେ ।
