ଦାଦନ ଖଟିବାକୁ ଯାଇ ମୃତ୍ୟୁ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
ଧର୍ମଗଡ଼ : କଳାହାଣ୍ଡି ଜିଲା କୋକସରା ବ୍ଲକ ମାହାଜନଗୁଡା ଗାଁର ମହେନ୍ଦ୍ର ବେସ୍ରାଙ୍କ ମୃତ୍ୟୁ ହୋଇଛି। ସେ କୋଏମ୍ବାଟୁରକୁ ଦାଦନ ଖଟିବା ପାଇଁ ଯାଇଥିବା ବେଳେ ସେଠାରେ ମୃତ୍ୟୁ ହୋଇଥିଲା । ମୃତଦେହ ଗାଁକୁ ଫେରିବା ପରେ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରାଯଇଛି ।
ସୂଚନା ଯେ, ଗତ ୩ ମାସ ପୂର୍ବରୁ ତାମିଲନାଡୁ କୋଏମ୍ବାଟୁରକୁ ଦାଦନ ଖଟିବା ପାଇଁ ଯାଇଥିଲେ ମହେନ୍ଦ୍ର । ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ମଙ୍ଗଳବାର ତାଙ୍କ ମୃତଦେହ ଗାଁକୁ ଫେରିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ଭବାନୀପାଟଣା-ଜୟପୁର ଜାତୀୟ ରାଜପଥ ୨୬ର ମହାଜନଗୁଡା ଠାରେ ପରିବାର ଓ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତା ପାର୍ଶ୍ୱରେ ବହୁ ଗାଡି ଅଟକି ରହିଥିବାର ଦେଖିବାକୁ ମିଳିଛି l ସେହିପରି କ୍ଷତିପୂରଣ ନଦେବା ଯାଏଁ ରାସ୍ତାରୁ ହଟିବୁ ନାହିଁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।
