ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ – ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଚୟନ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଟେଷ୍ଟ ଓ ଏକଦିବସୀୟ ରନ୍ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । କେବଳ ସେତିକି ନୁହେଁ, ଉଭୟ ଫର୍ମାଟରେ ସର୍ବାଧିକ ଶତକ ମଧ୍ୟ ସଚିନଙ୍କ ନାମରେ ରହିଛି । ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ପୁରୁଷ ଟେଷ୍ଟ ବ୍ୟାଟ୍ସମ୍ୟାନ ପାଇଁ ହୋଇଥିବା ଏକ ଅନଲାଇନ ପୋଲ୍ରେ ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇ ସଚିନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଚୟନ ହୋଇଛନ୍ତି ।
ଅନଲାଇନ ଭୋଟିଂ ମାଧ୍ୟମରେ ଫ୍ୟାନ୍ସମାନେ ଏହି ଚୟନ କରିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଏହି ପୋଲ୍ର ଆୟୋଜନ କରିଥିଲେ । “ଏହା ଚୟନ କରିବା କଷ୍ଟକର, କାରଣ ଉଭୟ କୁମାର ସାଙ୍ଗାକାରା ଓ ସଚିନ ତେନ୍ଦୁଲକର କ୍ରିକେଟର ଦୁଇ ପ୍ରମୁଖ ଆଇକନ । ମାତ୍ର ଫ୍ୟାନ୍ସଙ୍କ ଭୋଟ ଆଧାରରେ ଏକବିଂଶ ଶତାବ୍ଦୀର ମହାନତମ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଉଛନ୍ତି ସଚିନ ରମେଶ ତେନ୍ଦୁଲକର ।” ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡିଓରେ ଏହି ଘୋଷଣା କରିଛନ୍ତି ଗାଭାସ୍କର ।ଟେଷ୍ଟ କ୍ରିକେଟ ଇତିହାସରେ ତେନ୍ଦୁଲକରଙ୍କ ନାମରେ ରହିଛି ସର୍ବାଧିକ ୧୫,୯୨୧ ରନ ଓ ୫୧ ଶତକ ।ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି, ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ରିକି ପଣ୍ଟିଂ । ସଚିନଙ୍କ ଠାରୁ ୨,୫୪୩ ରନ୍ ପଛରେ ରହିଛନ୍ତି ପଣ୍ଟିଂ ।
ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ଜ୍ୟାକ କାଲିସଙ୍କ ନାମରେ ୪୫ଟି ଟେଷ୍ଟ ଶତକ ରହିଛି ।ସାଙ୍ଗାକାରାଙ୍କ ନାମରେ କ୍ରିକେର ଲମ୍ବା ଫର୍ମାଟରେ ୩୮ ଶତକ ଓ ୧୨,୪୦୦ ରନ ରହିଛି । ସର୍ବକାଳୀନ ରନ୍ସଂଗ୍ରହକାରୀ ଖେଳାଳି ତାଲିକାରେ ସାଙ୍ଗାକାରା ଷଷ୍ଠ ସ୍ଥାନରେ ଓ ଶତକ ତାଲିକାରେ ଚତୁର୍ଥରେ ରହିଛନ୍ତି ।ମାତ୍ର ୧୬ ବର୍ଷ ବସୟରେ ଟେଷ୍ଟ ଡେବ୍ୟୁ କରିଥିଲେ ତେନ୍ଦୁଲକର ଓ ପରେ କ୍ରିକେଟର ଶବ୍ଦକୁ ସର୍ବତ୍ର ପରିଚିତ କରିଥିଲେ । ୱିସଡେନ କ୍ରିକେଟର୍ସ ଅଲମାନକଙ୍କ ୧୫୦ତମ ବାର୍ଷିକୀରେ ୨୦୧୩ରେ ଘୋଷଣା ହୋଇଥିବା ସର୍ବକାଳୀନ ବିଶ୍ବ ଟେଷ୍ଟ ଏକାଦଶ ସେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଥିଲେ ।ପରେ ବର୍ଷ ୨୦୦୨ରେ ୱିସଡେନ କ୍ରିକେଟର୍ସ’ ଅଲମନକ ମାନ୍ୟତାରେ ଡନ ବ୍ରାଡମ୍ୟାନଙ୍କ ପରେ ସର୍ବକାଳୀନ ମହାନତମ ଟେଷ୍ଟ ବ୍ୟାଟ୍ସମ୍ୟାନ ଓ ଭିଭି ରିଚାର୍ଡସଙ୍କ ପରେ ଦ୍ବିତୀୟ ସର୍ବକାଳୀନ ମହାନତମ ଦିନିକିଆ ବ୍ୟାଟ୍ସମ୍ୟାନ ହୋଇଥିଲେ ।
୧୯୮୯ ମସିହା ନଭେମ୍ବର ୧୫ ତାରିଖ । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥାଏ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତର ସ୍ଥିତି ଅତି ଖରାପ ହୋଇଯାଇଥିଲା । ୱାସିମ ଆକ୍ରାମ, ୱାକାର ୟୁନିସ ଓ ଇମ୍ରାନ ଖାନଙ୍କ ଭଳି ବୋଲରଙ୍କ ଆଗରେ କେହି ବି ତିଷ୍ଠି ପାରୁନଥିଲେ । ରବି ଶସ୍ତ୍ରୀ, ଶ୍ରୀକାନ୍ତ ଓ ଆଝାରୁଦ୍ଦିନଙ୍କ ଭଳି ବଡ ବଡ ଖେଳାଳି ଆଉଟ ପାଭିଲିୟନ ଫେରିଯାଇଥିଲେ । ସେହି ସମୟରେ ଏକ ୧୬ ବର୍ଷର ଖେଳାଳି ଆସି ପିଚ ଉପରେ ଛିଡାହୋଇଯାଇଥିଲା । ଆଉ ୱାକାର ୟୁନିସଙ୍କ ଭଳି ବୋଲରଙ୍କୁ ସାମ୍ନା କରିଥିଲା । ଆଜି ସେହି ଖେଳାଳି ସାରା ବିଶ୍ୱରେ କ୍ରିକେଟର ଭଗବାନ ଭାବେ ସାରା ବିଶ୍ୱରେ ପରିଚିତ । ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ଖେଳି ଟେଷ୍ଟରେ ଡେବ୍ୟୁ କରିଥିଲେ ସଚିନ ।
ପାକିସ୍ତାନ ବିପକ୍ଷ ଏହି ପ୍ରଥମ ଟେଷ୍ଟ ଡ୍ର ହୋଇଯାଇଥିଲା । ସଚିନ ଏହି ମ୍ୟାଚରେ ଆକର୍ଷଣୀୟ ଖେଳି ପାରିନଥିଲେ । ହେଲେ ଆଉ ୩ଟି ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏହି ୧୬ ବର୍ଷିୟ ଖେଳାଳି । ମୁସ୍ତାକ ମହମ୍ମଦ ଓ ଆକିବ ଜାବେଦଙ୍କ ପରେ ସବୁଠାରୁ କମ ବୟସରେ କ୍ରିକେଟରେ ଡେବ୍ୟୁ କରିଥିବା ତୃତୀୟ ଖେଳାଳି ହେଉଛନ୍ତି ସଚିନ । ୩୧ ବର୍ଷେ ପୂର୍ବେ ଟେଷ୍ଟରେ କ୍ୟାରିୟର ଆରମ୍ଭ କରିଥିବା ଏହି ଖେଳାଳି ଏବେ କ୍ରିକେଟ ଜଗତର ମହାନାୟକ ପାଲଟିଯାଇଛନ୍ତି ।
୨୪ ବର୍ଷର ଏହି କ୍ୟାରିୟର ମଧ୍ୟରେ ସଚିନ କ୍ରିକେଟ ଜଗତରେ ଅନେକ ସୁନାମ ଅର୍ଜନ କରିଛନ୍ତି । ସେଥିପାଇଁ ତ ତାଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ । ସଚିନ ଏହି ୨୪ ବର୍ଷ ମଧ୍ୟରେ ୨୦୦ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହାମଧ୍ୟରେ ସେ ୧୫ ହଜାର ୯୨୧ ରନ କରିଥିଲେ । ଏଥିରେ ୬୮ ଅର୍ଦ୍ଧଶତକ, ୫୧ ଶତକ ଓ ୬ଟି ଦ୍ୱିଶତକ ସାମିଲ ରହିଛି । କେବଳ ଟେଷ୍ଟ ନୁହେଁ ଦିନିକିଆ ଓ ଟି୨୦ରେ ମଧ୍ୟ ବଡ ବଡ ରେକର୍ଡର ପାହାଡ ଛିଡା କରିଛନ୍ତି ଏହି ଖେଳାଳି । ଯାହାକୁ ଭେଦ କରିବା ଜଣେ ସାଧାରଣ ଖେଳାଳି ପକ୍ଷେ ଅସମ୍ଭବ ।
