ବରହମପୁର ବାସନ୍ତୀବଜାରରେ ଜବର ଦଖଲ ଉଚ୍ଛେଦ
- ମହିଳାଙ୍କ ପାଦ ଉପରେ ଚଢ଼ିଗଲା ଜେସିବି
ନୀଳଗିରି : ନୀଳଗିରି ତହସିଲ ବରହମପୁର ଆର୍ଆଇ ସର୍କଲ ଅଧୀନସ୍ଥ ବରହମପୁର ବାସନ୍ତୀବଜାରରେ ସରକାରୀ ଜମିକୁ ଜବରଦଖଲ କରି ଦୋକାନ କରିଥିବା ଘରକୁ ପ୍ରଶାସନ ଉଚ୍ଛେଦ କରିଛି । ରାଜ୍ୟ ରାଜପଥ ୧୯ର ଗୋହିରାଛକ ଠାରୁ ବଣସୀମା ଅଞ୍ଚଳର ପ୍ରାଣକେନ୍ଦ୍ର କୁହାଯାଉଥିବା ବରହମପୁର ବଜାର ଦେଇ ନୂତନ ରାସ୍ତାର ସମ୍ପ୍ରସାରଣ ପାଇଁ ବଜାର ସ୍ଥିତ ଜବରଦଖଲକାରୀ ଦୋକାନୀମାନଙ୍କୁ ହଟିଯିବା ପାଇଁ ପ୍ରଶାସନ ତରଫରୁ ସୂଚନା ଦିଆଯାଇଥିଲା । କିଛି ଅମାନିଆ ଦୋକାନୀଙ୍କ ପାଇଁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା ।
ଶୁକ୍ରବାର ପୂର୍ବାହ୍ନରେ ପ୍ରଶାସନ ତରଫରୁ ପୋଲିସ ଫୋର୍ସ ମୁତୟନ କରାଯାଇ ଦୁଇଟି ବୁଲଡ଼ୋଜର ସାହାଯ୍ୟରେ ଅତିକ୍ରମଣ କରିଥିବା ଦୋକାନ ଗୃହଗୁଡ଼ିକ ଭାଙ୍ଗି ଦିଆଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ନୀଳଗିରି ଅତିରିକ୍ତ ତହସିଲଦାର, ବରହମପୁର ଆର୍ଆଇ ଓ ଅନ୍ୟାନ୍ୟ କର୍ମଚାରୀ ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ । ତେବେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ବିନ୍ଧାଣୀ ଛକଠାରେ ଭୋଗଦିଆ ଗ୍ରାମର ଖତୁ ବେହେରାଙ୍କ ସ୍ତ୍ରୀ ମାମିନୀ ବେହେରା (୪୨)ବଜାରକୁ ଯାଉଥିବା ଅବସ୍ଥାରେ ଜବର ଦଖଲ ଉଚ୍ଛେଦ କରୁଥିବା ଜେସିବି ଚକା ତଳେ ପଡ଼ିଯିବା ଯୋଗୁଁ ତାଙ୍କ ଡାହାଣ ପାଦ ଉପରେ ଚକା ଚଢ଼ି ଯାଇଥିଲା । ତୁରନ୍ତ ମହିଳା ଜଣଙ୍କୁ ଉଦ୍ଧାର କରାଯାଇ ବରହମପୁର ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଉଚ୍ଛେଦ ସମୟରେ ପୋଲିସ କର୍ଡ଼ନ ଭାଙ୍ଗି ମହିଳା ଜଣକ କିପରି ଜେସିବି ପାଖରେ ପହଞ୍ôଚଲେ । ଯାହାଫଳରେ ଏତେବଡ଼ ଦୁର୍ଘଟଣା ଘଟିଗଲା । ଏଥିପାଇଁ ପ୍ରଶାସନର ଅବହେଳାକୁ ଜନସାଧାରଣ ଦାୟୀ କରିଛନ୍ତି ।
