ବର୍ଷାରେ ବେହାଲ ବାଲେଶ୍ୱର ସହର
ବାଲେଶ୍ୱର : ଲଘୁଚାପ ଜନିତ ବର୍ଷାରେ ବେହାଲ ବାଲେଶ୍ୱର। ରାସ୍ତା ଉପରେ ଲହଡି ଖେଳୁଛି ପାଣି। ପାଣିର ସ୍ରୋତ ମଧ୍ୟ ରହିଛି। ସତେ ଯେମିତି ବନ୍ୟା ହୋଇଛି। ଏ ଦୃଶ୍ୟ ହେଉଛି ବାଲେଶ୍ୱର ସହର । ସଠିକ ସମୟରେ ଡ୍ରେନ ସଫେଇ ତଥା ରାସ୍ତା ପାର୍ଶ୍ୱରେ ଡ୍ରେନ ନଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ଅସରାୟ ବର୍ଷାହେଲେ ରାସ୍ତାରେ ପାଣି ଜମି ରହୁଛି। ତେଣୁ ଯାତାୟତ କରୁଥିବା ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଳନଷ୍କାସନ ନିମନ୍ତେ ଅଗ୍ନିଶମ ବାହୀନି ନିୟୋଜିତ ହୋଇଛନ୍ତି । ବାଲେଶ୍ୱର ସହର ଅମୃତ ଯୋଜନାରେ ସାମିଲ ହୋଇଥିଲେ ବି ଏଭଳି ସ୍ଥିତି ଦେଖି ଲୋକେ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଜିଲାପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି।
ବୁଧବାର ଅପରାହ୍ନ ସମୟରେ ଦୀର୍ଘ ୩ଘଣ୍ଟା ଧରି ଲଗାଣ ବର୍ଷ ଜାରି ରହିଥିଲା । ଫଳରେ ସହରର ପେଣ୍ଠସ୍ଥଳୀ ଫାଣ୍ଡିଛକ ସ୍ଥିତ ନିୟୁ-ମାର୍କେଟ୍ କମ୍ପ୍ଲେକ୍ସରେ ପାଣି ପଶିଯିବା ଯୋଗୁଁ ଦମକଳ ବିଭାଗର ଗାଡି ଆସି ଜଳ ନିଷ୍କାସନ କରିଥିଲେ । ଛାତିଏ ଉଚ୍ଚର ପାଣି ଜମା ହୋଇଥିବାବେଳେ ଏହି କମ୍ପ୍ଲେକ୍ସରେ ଥିବା ଦୋକାନ ଗୁଡିକ ଭିତରେ ପାଣି ପଶିଯାଇଥିଲା । ସେହିପରି ଚିଡିଆପୋଲ ନିକଟରେ ଥିବା କିଛି ଦୋକାନ ଏବଂ ଜଳଖିଆ ଦୋକାନରେ ଦୁଇ ଫୁଟର ପାଣି ପ୍ରବାହିତ ହୋଇଥିଲା । ପମ୍ପ ସେଟ୍ ବ୍ୟବହାର କରି ଅଗ୍ନିଶମ ବିଭାଗ ଜଳନିଷ୍କାସନ କରିଥିଲା । ମୋତିଗଞ୍ଜ ଏବଂ କଂଗ୍ରେସ ଗଳିରେ ଆଣ୍ଠୁଏ ପାଣି ଜମି ରହିଥିଲା ।
ସେହିପରି ବାଲେଶ୍ବର ଡାକ୍ତରଖାନାରେ ମଧ୍ୟ ଡ୍ରେନଜ୍ ବ୍ୟବସ୍ଥା ଠିକ୍ ନ ଥିବାରୁ ସେଠାରେ ମଧ୍ୟ ଜଳନିଷ୍କାସନ ହୋଇନପାରି ପାଣି ଜମି ରହିଥିଲା । ଏହା ସହିତ ସହରର ତଳିଆ ଅଞ୍ଚଳରେ ମଧ୍ୟ ପାଣି ଚାଲୁଛି । ସହରର ମୁଖ୍ୟ ଆଜିମାବାଦ ରାସ୍ତା, ଗଡ଼ଗଡ଼ିଆ, ଜେଲରୋଡ଼, କଂଗ୍ରେସଗଳି, ରାଣୀପାଟଣା, ମୋତିଗଞ୍ଜ ବଜାର, ଫାଣ୍ଡିଛକର ନ୍ୟୁ ମାର୍କେଟ୍, ଚିଡ଼ିଆପୋଲ ନିକଟସ୍ଥ ଦୋକାନ, ବସ୍ଷ୍ଟାଣ୍ଡରୁ ରେମୁଣା ରାସ୍ତା, ମାନସିଂବଜାର, ଏଡିଏମ୍ ଛକରୁ ଟେକ୍ନିକାଲ ପଡ଼ିଆ ରାସ୍ତା, ଗୋପାଳଗାଁ ରାସ୍ତା ପ୍ରମୁଖ ରାସ୍ତାରେ ପାଣିର ସୁଅ ଦେଖିବାକୁ ମିଳିଥିଲା ।
ଅନ୍ୟପକ୍ଷରେ ମହାନାଳ ଓ ନାଳକୁ ସଠିକ୍ ଭାବରେ ସଫା କରାଯାଇ ନଥିବାରୁ ବାରମ୍ବାର ବର୍ଷାରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ଖବରପାଇ ଦମକଳବାହିନୀ କେତେକ ସ୍ଥାନରେ ଜଳ ନିଷ୍କାସନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ପ୍ରଶାସନିକ ଅଧିକାରୀମାନେ ଜିଲାପାଳ, ଉପଜିଲାପାଳ, ତହସିଲଦାର, ବିଡିଓ କେତେକ ସ୍ଥାନରେ ପହଞ୍ôଚ ପରିସ୍ଥିତିକୁ ନୀରିକ୍ଷଣ କରିଥିଲେ ।





