ମୁମ୍ବାଇରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି
ମୁ୍ମ୍ବାଇ : ଭାରତରେ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଆଗାମୀ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଆୟୋଜନ ହେବାର ଅଛି । କିନ୍ତୁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଟି-୨୦ ବିଶ୍ବକପ ଭାରତରେ ଖେଳାଯିବ କି ନାହିଁ ସେ ନେଇ ବର୍ତ୍ତମାନ ସୁଦ୍ଧା ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟୀକରଣ ଦିଆଯାଇନାହିଁ । ତେବେ ଏହାରି ମଧ୍ୟରେ ଶୁଣିବାକୁ ମିଳୁଛି ଯେ, ଚଳିତ ସିଜିନର ବାକିଥିବା ଆଇପିଏଲର ୩୧ ଟି ମ୍ୟାଚ ଏବଂ ଟି-ଟ୍ବେଣ୍ଟି ବିଶ୍ବକପ ୟୁଏଇରେ ଆୟୋଜନ କରାଯିବାକୁ ଯୋଜନା ଚାଲିଛି । ତେବେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯାଇପାରେ । ଏହାରି ମଧ୍ୟରେ ସୋମବାର ମୁମ୍ବାଇରେ ପହଞ୍ଚିଛନ୍ତି ଭାରତ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ମୁ୍ମ୍ବାଇରେ ବିଚାର ବିମର୍ଷ ପରେ ଭାରତରେ ବିଶ୍ବକପ ଆୟୋଜନ ନେଇ ବଡ ଘୋଷଣା ହୋଇପାରେ । ଭାରତରେ ଟି-୨୦ ବିଶ୍ବକପ ଆୟୋଜନ ହୋଇପାରିବ କି ନାହିଁ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନେବାକୁ ବିସିସିଆଇକୁ ଜୁନ ୨୮ ଯାଏଁ ସମୟ ଦେଇଛି ଇଣ୍ଟରନେସନାଲ କ୍ରିକେଟ କାଉନସିଲ (ଆଇସିସି) ।
ଭାରତରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିବ କି ନାହିଁ ସେ ନେଇ ଆସନ୍ତା କିଛି ଦିନ ମଧ୍ୟରେ ପିଷ୍ପତ୍ତି ନିଆଯିବ। ଏହା ସହିତ ଟ୍ୟାକ୍ସ ଛାଡକୁ ନେଇ ଜୁନ ୧୫ ସୁଦ୍ଧା ଆଇସିସିକୁ ରିପୋର୍ଟ ଦେବାକୁ ବିସିସିଆଇକୁ କୁହାଯାଇଥିଲା । ତେବେ ଯଦି ବିଶ୍ବକପ ଆୟୋଜନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ୟାକ୍ସ ଛାଡ ନହୁଏ ତେବେ ବିସିସିଆଇକୁ ଆଇସିସି ପକ୍ଷରୁ ମିଳିବାକୁ ଥିବା ୯୦୦ କୋଟି ଟଙ୍କାର ରାଜସ୍ବ କାଟିଦିଆଯିବ । ସେପଟେ ୟୁଏଇରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଆୟୋଜନ କରାଯିବାକୁ ନେଇ ଭାରତ ବିସିସିଆଇ ଏବଂ ୟୁଏଇ ବୋର୍ଡ ମଧ୍ୟରେ ଆଲୋଚନା ଜାରି ରହିଛି । ଏହା ବାଦ ଶ୍ରୀଲଙ୍କାରେ ମଧ୍ୟ ଆୟୋଜନ କରାଯିବାକୁ ଯୋଜନା ଚାଲିଛି । କେବଳ ଶ୍ରୀଲଙ୍କା କଥା କହିବାକୁ ଗଲେ କଲମ୍ବୋରେ ୩ଟି ଷ୍ଟାଡିଅମ ରହିଛି । ତେବେ ବାକି ଥିବା ଆଇପିଏଲ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବାକୁ ବିସିସିଆଇକୁ ପ୍ରସ୍ତାବ ଦେଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ଏ ନେଇ ବିସିସିଆଇ ପକ୍ଷରୁ କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।
