ବିସିସିଆଇର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା : ୨୬ ଜଣଙ୍କୁ ମିଳିଲା ସ୍ଥାନ, ଏ+ରେ ୪ଖେଳାଳି
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି । ଏଥିରେ ମୋଟ ୨୬ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ବିସିସିଆଇ ୪ଟି ବର୍ଗରେ ଏହି ଖେଳାଳିଙ୍କୁ ରଖିଛି । ଶୀର୍ଷରେ ଏ+ ବର୍ଗ ରହିଛି, ଏଥିରେ ୪ ଜଣ ଖେଳାଳି ସାମିଲ ଅଛନ୍ତି ।
ବିସିସିଆଇ ଏ+, ଏ, ବି ଏବଂ ସି କ୍ୟାଟେଗୋରୀରେ ମୋଟ ୨୬ ଖେଳାଳିଙ୍କୁ ରଖିଛି । ଏ+ରେ ୪, ଏ ବର୍ଗରେ ୫, ବି କ୍ୟାଟଗୋରୀରେ ୬ ଏବଂ ସି କ୍ୟାଟେଗୋରୀରେ ୧୧ ଖେଳାଳିଙ୍କୁ ରଖିଛି । ୨୦୨୨ ଅକ୍ଟୋବରରୁ ୨୦୨୩ ଯାଏ ଏହି ଖେଳାଳିଙ୍କ ସହ ବର୍ଷିକ ଚୁକ୍ତି କରାଯାଇଛି । ଶୀର୍ଷ ବର୍ଗରେ ଥିବା ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା, ଏ କ୍ୟାଟେଗୋରୀ ପାଇଁ ୫ କୋଟି ଟଙ୍କା, ବି କ୍ୟାଟେଗୋରୀ ପାଇଁ ୩ କୋଟି ଟଙ୍କା ଏବଂ ସି କ୍ୟାଟେଗୋରୀ ଖେଳାଳିଙ୍କୁ ୧-୧ କୋଟି ମିଳିବ ।
ବିସିସିଆଇର ଏ+ କ୍ୟାଟେଗୋରୀରେ ରୋହିତ୍ ଶର୍ମା, ବିରାଟ କୋହଲି, ଜଶପ୍ରୀତ ବୁମରାହ, ରବୀନ୍ଦ୍ର ଜାଡେଜା ସାମିଲ ଅଛନ୍ତି । ଏ କ୍ୟାଟେଗୋରୀରେ ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ୱିନ, ମହମ୍ମଦ ଶାମି, ଋଷଭ ପନ୍ତ ଏବଂ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି । ସେହିପରି ବି କ୍ୟାଟେଗୋରୀରେ ଚେତେଶ୍ୱର ପୂଜାରା, କେଏଲ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ଶିରାଜ, ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲଙ୍କୁ ସ୍ଥାନ ଦିଆଯାଇଛି । ସି କ୍ୟାଟେଗୋରୀରେ ୧୧ ଜଣଙ୍କୁ ସାମିଲ କରାଯାଇଛି । ଏଥିରେ ଉମେଶ ଯାଦବ, ଶିଖର ଧାୱନ, ଶାର୍ଦୁଲ ଠାକୁର, ଇଶନ କିଷନ, ଦୀପକ ହୁଡ୍ଡା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ଏବଂ କେଏସ ଭାରତ ସାମିଲ ଅଛନ୍ତି ।
