କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
ବେଙ୍ଗାଲୁରୁ : କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ । ବୁଧବାର ପୂର୍ବାହ୍ନ ୧୧ଟା ବେଳେ ରାଜଭବନରେ ରାଜ୍ୟପାଳ ଥାୱରଚନ୍ଦ ଗହଲୋତ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ମଧ୍ୟ ଉକ୍ତ ଉତ୍ସବ ମଞ୍ଚରେ ଉପସ୍ଥିତ ଥିଲେ।
ଶପଥ ନେବା ଆଗରୁ ୬୧ ବର୍ଷିୟ ବାସବରାଜ ବୋମ୍ମାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ଚରଣ ସ୍ପର୍ଶ କରି ଆଶିଷ ଭିକ୍ଷା କରିଥିଲେ। ଏହାର କିଛି କ୍ଷଣ ପୂର୍ବରୁ ବାସବରାଜ ବୋମ୍ମାଇ କହିଥିଲେ, ଆଜି ମୁଁ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିବି। ତା’ପରେ ରାଜ୍ୟରେ କୋଭିଡ୍-୧୯ ଓ ବନ୍ୟା ପରିସ୍ଥିତି ସମୀକ୍ଷା ନିମନ୍ତେ ମୁଁ ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ବୈଠକ କରିବି। ସକାଳୁ ବେଙ୍ଗାଲୁରୁସ୍ଥିତି ଭଗବାନ ଶ୍ରୀମାରୁତି ମନ୍ଦିରରେ ବାସବରାଜ ବୋମ୍ମଇ ପୂଜାପାଠ କରିବା ପରେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କୁ ଭେଟିଥିଲେ। ୟେଦିୟୁରପ୍ପାଙ୍କ ସରକାରରେ ବାସବରାଜ ଥିଲେ ଗୃହମନ୍ତ୍ରୀ। ସ୍ବଂୟ ୟେଦିୟୁରପ୍ପା ନୂତନ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ। କାର୍ଜୋଲ୍ ଅଶୋକ ଈଶ୍ବରପ୍ପା ଏବଂ ଅନ୍ୟ ବିଜେପି ବିଧାୟକମାନେ ତାଙ୍କୁ ସମର୍ଥନ କରିଥିଲେ। ସୂଚନା ଯେ, କେନ୍ଦ୍ରୀୟ କର୍ଣ୍ଣାଟକର ହାବେରି ଜିଲ୍ଲା ଅନ୍ତର୍ଗତ ଶିଗ୍ଗାଓଁର ବିଧାୟକ ବୋମ୍ମାଇ ମଧ୍ୟ ୟେଦିୟୁରପ୍ପାଙ୍କ ଭଳି ଜଣେ ଟାଣୁଆ ରାଜନୈତିକ ଲିଙ୍ଗାୟତ ନେତା। ୧୯୮୦ ଦଶକରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିବା ଜନତା ଦଳର ଏସ୍ଆର୍ ବୋମ୍ମାଇଙ୍କ ପୁତ୍ର ବାସବରାଜ୨୦୦୮ରେ ‘ଜନତା ଦଳ ୟୁନାଇଟେଡ୍’ ତ୍ୟାଗ କରି ଅନ୍ୟ ୨୨ଜଣ ‘ଜେଡିୟୁ’ କର୍ମକର୍ତ୍ତାଙ୍କ ସହ ବିଜେପିରେ ଯୋଗ ଦେଇଥିଲେ। ଦୁଇ ଥର ବିଧାୟକ ହୋଇଥିବା ବାସବରାଜ ହେଉଛନ୍ତି ଜଣେ ମେକାନିକାଲ୍ ଇଞ୍ଜିନିୟର୍। ସ୍ବୟଂ ଜଣେ ଉଦ୍ୟୋଗୀ ହେବା ପୂର୍ବରୁ ସେ ପୁଣେସ୍ଥିତ ଟାଟା ମୋଟର୍ସରେ କାର୍ଯ୍ୟ କରିଥିଲେ। ଚେନ୍ନାମ୍ମାଙ୍କୁ ବିବାହ କରିଥିବା ବାସବରାଜ ବୋମ୍ମଇଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଧରୱାଡ୍ ଜିଲ୍ଲାର ସ୍ଥାୟୀ ବାସିନ୍ଦା ବୋମ୍ମାଇଙ୍କ ପୁସ୍ତକ ଅଧ୍ୟୟନ, ଲେଖାଲେଖି, ଗଲ୍ଫ୍ ଏବଂ କ୍ରିକେଟ୍ ଆଦିରେ ସଉକ ରହିଛି।
