ବାଣପୁର ଗାଡ଼ିଚଢ଼ା ମାମଲା : ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଙ୍ଗଳବାର ଅପରାହ୍ନରେ ହସ୍ପିଟାଲରୁ ବାହାରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ରିପୋର୍ଟ ଲେଖାଯିବା ବେଳକୁ ବିଧାୟକ ପ୍ରଶାନ୍ତଙ୍କୁ ଭୁବନେଶ୍ୱରରେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି । ଗିରଫ ହେବା ପୂର୍ବରୁ ବିଧାୟକଙ୍କୁ ସ୍ୱତନ୍ତ୍ର ପୁଲିସ ଟିମ୍ ତତ୍ୱାବଧାନରେ ହସ୍ପିଟାଲରୁ ସ୍ଥାନାନ୍ତରଣ କରାଯାଇଥିଲା । ପୁଲିସ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇପାରେ ବୋଲି ଚର୍ଚ୍ଚା ହେଉଛି ।
ସୂଚନା ଯେ, ଗତ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀମାନଙ୍କର ଏକ ଶୋଭାଯାତ୍ରା ଚାଲିଥିବା ସମୟରେ ତାଙ୍କ ଚାରିଚକିଆ ଗାଡ଼ିକୁ ଭିଡ଼ ଭିତରକୁ ପୁରାଇ ଦେଇଥିଲେ । ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଥିଲେ । ତେବେ ଏହି ଘଟଣା ପରେ ଉତ୍ୟକ୍ତ ଜନତା ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସର୍ବସାଧାରଣଙ୍କ ଦ୍ୱାରା ନିସ୍ତୁକ ମାଡ଼ ଖାଇବା ପରେ ବିଧାୟକ ଲହୁଲୁହାଣ ହୋଇଯାଇଥିଲେ । ତାଙ୍କୁ ମଧ୍ୟ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଲୋକେ ତାଙ୍କ ଗାଡ଼ିକୁ ବାଡ଼େଇ ଭାଙ୍ଗିଦେଇଥିଲେ । ବାଣପୁର ଓ ଏହାର ନିକଟ ଅଂଚଳରେ ମାର୍ଚ୍ଚ ୧୨ ତାରିଖ ଦିନ ତମାମ ଉତେଜନା ଦେଖାଯାଇଥିଲା । ପରିସ୍ଥିତି ଅନିୟନ୍ତ୍ରିତ ହୋଇଥିବାରୁ ପୁଲିସ ୧୪୪ ଧାରା ଲାଗୁ କରିଥିଲା ।
