ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବାଲେଶ୍ୱର ଶାଖା ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ
ବାଲେଶ୍ୱର : ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବାଲେଶ୍ୱର ଶାଖା ତା’ର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିଛି । ଏହି ଅବସରରେ ଏକ ବିଶାଳ କାର ଋଣ ମେଳାର ଆୟୋଜନ ଶାଖା ସମ୍ମୁଖରେ କରାଯାଇଥିଲା । ଏଥିରେ ବିଭିନ୍ନ ନାମୀ ଦାମୀ କମ୍ପାନୀର କାର୍ ସବୁ ପ୍ରଦର୍ଶନ କରାଯାଇଥିଲା । ଗ୍ରାହକମାନେ ଏକ ସମୟରେ ଅନେକ ଗାଡ଼ିମାନଙ୍କର ଦେଖିବାର ଏବଂ ବୁଝିବାର ସୁଯୋଗ ଉଠାଇଥିଲେ । ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ରମେଶ ଚନ୍ଦ୍ର ଦାସ ଏହି ଋଣ ମେଳାକୁ ଉଦ୍ଘାଟନ କରିଥିଲେ ।
ସ୍ୱର୍ଣ୍ଣ ଜୟନ୍ତୀ ପାଳନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଗ୍ରାହକ ସମ୍ମିଳନୀ, ଜନ୍ମଦିନ କେକ୍ କାଟିବା, ଶାଖାକୁ ରଙ୍ଗୀନ କରି ସଜାଇବା ଇତ୍ୟାଦି କରାଯାଇଥିଲା । ଏହି ମହାନ ଦିବସ ଅବସରରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବାଲେଶ୍ୱର ଶାଖା ତରଫରୁ ମିଶନ ପଡ଼ିଆସ୍ଥିତ ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନରେ ଭିନ୍ନକ୍ଷମ ସ୍କୁଲ ପିଲାଙ୍କ ସହିତ ସାକ୍ଷାତ କରି ତାଙ୍କର ସୁବିଧା ପାଇଁ ବ୍ୟାଙ୍କ୍ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଶାଖାର ସମସ୍ତ ପରିବାର, ଗ୍ରାହକ ଏବଂ ବାଲେଶ୍ୱର ସହରର ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସମାରୋହରେ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟାଙ୍କର ଆଞ୍ଚଳିକ ଉପପ୍ରବନ୍ଧକ ଶ୍ରୀଯୁକ୍ତ ସତ୍ୟରଞ୍ଜନ ଦାସ ଏବଂ ମୁଖ୍ୟ ଶାଖା ପରିଚାଳକ ପ୍ରମୋଦ ଚନ୍ଦ୍ର ପରିଡ଼ା ଏବଂ ସମସ୍ତ ସହକର୍ମୀ ସହଯୋଗ କରିଥିଲେ ।
