ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବିଦ୍ୟାଳୟର ମୁଖପତ୍ର ‘ଭାରତୀୟ ଅର୍ଘ୍ୟ’ ଉନ୍ମୋଚିତ
ବାଲେଶ୍ୱର : ବାଲେଶ୍ୱର ସହରର ମାଣିଖମ୍ବ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ୩ବର୍ଷରେ ବିଦ୍ୟାଳୟର ପାଠ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
ବାଲେଶ୍ୱରର ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିବା ସହିତ ଭାରତୀୟ ସଂସ୍କୃତି ଓ ପରମ୍ପରା ପର୍ଯ୍ୟବେଶିତ ଶିକ୍ଷାପ୍ରଣାଳୀରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷଣୀୟ ପରିବେଶ ସହିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠାପର ଉଦ୍ୟମ ବେଶ ଗୁରୁତ୍ୱ ବହନ କରୁଛି ବୋଲି ପ୍ରକାଶ ସହ କଠୋର ଅଧ୍ୟବସାୟ ସହ ଶିକ୍ଷାଗ୍ରହଣ ପୂର୍ବକ ସଫଳତା ହାସଲ ପାଇଁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ । ଓଡ଼ିଶା ଶିକ୍ଷା ବିକାଶ ସମିତିର ପୂର୍ବତ୍ତୋର ସମ୍ଭାଗର ପୂର୍ବତନ ସମ୍ପାଦକ ତଥା ସ୍ୱର୍ଣ୍ଣଚୁଡ଼ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ନରୋତ୍ତମ ପରିଡ଼ା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ଶିକ୍ଷା ପ୍ରଣାଳୀରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅବଦାନ ସହ ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିଥିଲେ ।
ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିବାନୀ ଶଙ୍କର ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ଭବେନ୍ଦ୍ର କୁମାର ରାଉତ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରଜିତ ମୁନି ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅତିଥିମାନେ ବିଦ୍ୟାଳୟ ମୁଖପତ୍ର ‘ଭାରତୀୟ ଅର୍ଘ୍ୟ’ ଉନ୍ମୋଚନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଉପ-ସଭାପତି ଯୋଗେନ ଚନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରୀଛାତ୍ରଙ୍କ ବହୁ ଅଭିଭାବକ ଉତ୍ସବରେ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟା ସୌନ୍ଦର୍ଯ୍ୟା ଲକ୍ଷ୍ମୀ ମହାନ୍ତି, ବନିତା ସାହୁ, ଅନିରୁଦ୍ଧ ବେହେରା, ହରିଶ୍ଚନ୍ଦ୍ର ରଣା, ସନାତନ ବାରିକ, ଏନ୍ସିସି ସିଟିଓ ମାନସ ରଞ୍ଜନ ବେହରା, ସଂସ୍କୃତି ବିଭାଗ ମୁଖ୍ୟ ମନୋରଞ୍ଜନ ପାଠୀଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ, କର୍ମଚାରୀ ଓ ଏନ୍ସିସି, ସ୍କାଉଡ୍ ଗାଇଡ୍ କ୍ୟାଡ଼େଟମାନେ ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
