ବିଶ୍ୱକପ ସୁପର ଲିଗ ପଏଣ୍ଟ ଟେବୁଲ ଶୀର୍ଷରେ ବାଂଲାଦେଶ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ଗସ୍ତରେ ଇତିହାସ ରଚିଲା ବାଂଲାଦେଶ କ୍ରିକେଟ ଟିମ୍ । ଦକ୍ଷିଣ ଆଫ୍ରିକାକୁ ବାଂଲାଦେଶ ୩ ଦିନିକିଆ ଶୃଙ୍ଖଳାରେ ୨-୧ରେ ପରାସ୍ତ କରିଛି । ଏଥି ସହିତ ଆଇସିସି ବିଶ୍ୱକପ ସୁପର ଲିଗର ପଏଣ୍ଟ ଟେବୁଲରେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଟିମକୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛି ।
ବିଶ୍ୱକପ ସୁପର ଲିଗର ପଏଣ୍ଟ ଟେବୁଲରେ ବାଂଲାଦେଶ ଶୀର୍ଷରେ ପହଞ୍ଚିଛି । ଟିମ ୧୮ରୁ ୧୨ ମ୍ୟାଚ ଜିତିବା ସହି ୧୨୦ ପଏଣ୍ଟ ହାସଲ କରିଛି । ଇଂଲଣ୍ଡ ୨ୟ ଓ ଭାରତ ୩ୟ ସ୍ଥାନରେ ଅଛନ୍ତି । ଶୃଙ୍ଖଳାରେ ହାରିବା ପରେ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି । ଦକ୍ଷିଣ ଆଫ୍ରିକା ଟିମ ୯ମ ସ୍ଥାନରେ ଥିବା ବେଳେ ପାକିସ୍ତାନ ୧୦ମ ସ୍ଥାନରେ ରହିଛି ।
ସୂଚନା ଯେ, ୨୦୨୩ ବିଶ୍ୱକପରେ ମୋଟ ୧୦ଟି ଟିମ ଖେଳିବେ । ଏଥିରେ ୮ଟି ଟିମ ସୁପର ଲିଗ ଜରିଆରେ ପ୍ରବେଶ କରିବେ । ପଏଣ୍ଟ ଟେବୁଲରେ ଭାରତ ସମେତ ୮ଟି ଟିମ ସିଧାସଳଖ ପ୍ରବେଶ କରିବେ । ଭାରତ ବିଶ୍ୱକପର ଆୟୋଜନ କରିବ । ଏଥି ପାଇଁ ଏହି ଟିମକୁ ସିଧାସଳଖ ପ୍ରବେଶ ମିଳିବ । ଏହି ବିଶ୍ୱକପ ସୁପରଲିଗ ୨୦୨୨ ଶେଷ ସୁଦ୍ଧା ଖେଳାଯିବ ।
