ଆଜିଠୁ ବାଂଲାଦେଶ-ଭାରତ ଦ୍ୱିତୀୟ ଟେଷ୍ଟ ମ୍ୟାଚ, ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ
ଢାକା : ଆଜିଠୁ ବାଂଲାଦେଶ-ଭାରତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ସେର୍-ବାଂଲା ନ୍ୟାସ୍ନାଲ ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ । ଚଟ୍ଟୋଗ୍ରାମରେ ପ୍ରଥମ ଟେଷ୍ଟ୍କୁ ୧୮୮ ରନ୍ରେ ଜିତିବା ପରେ ପୁଣି ଥରେ ଅଲ୍ରାଉଣ୍ଡ୍ ପ୍ରଦର୍ଶନ ବଳରେ ୨-୦ରେ ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟରେ ରହିଛି କେଏଲ୍ ରାହୁଲଙ୍କ କାମଚଳା ନେତୃତ୍ବାଧୀନ ଭାରତ। ପ୍ରଥମ ଟେଷ୍ଟ୍ ଭଳି ଦ୍ବିତୀୟ ଟେଷ୍ଟ୍ରେ ବି ସ୍ପିନରମାନେ ଆଧିପତ୍ୟ ବିସ୍ତାର କରିବା ସମ୍ଭାବନା ରହିଛି। ଚଟ୍ଟୋଗ୍ରାମରେ ଚେତେଶ୍ବର ପୂଜାରା, ଶୁବମନ ଜିଲ୍, ଶ୍ରେୟସ ଆୟର, ରବିଚନ୍ଦ୍ରନ୍ ଅଶ୍ବିନ୍ ଏବଂ କୁଲ୍ଦୀପ ଯାଦବ ବ୍ୟାଟିଂରେ କମାଲ ଦେଖାଇଥିଲେ। କୁଲ୍ଦୀପ କିନ୍ତୁ ଉଭୟ ବ୍ୟାଟ୍ ଓ ବଲ୍ରେ ପ୍ରଭାବୀ ରହିଥିଲେ। ତାଙ୍କୁ ମୂଲ୍ୟବାନ ସହଯୋଗ ଦେଇ ମହମ୍ମଦ ସିରାଜ ପ୍ରଥମ ପାଳିରେ ଏବଂ ଅକ୍ଷର ପଟେଲ ଦ୍ବିତୀୟ ପାଳିରେ ଚମତ୍କାର ବୋଲିଂ କରିଥିଲେ। କିନ୍ତୁ ଚଟ୍ଟୋଗ୍ରାମ ତୁଳନାରେ ସେର୍-ବାଂଲା ପିଚ୍ ଭିନ୍ନ ରହିବ। ଫଳରେ ଶକ୍ତିଶାଳୀ ମନେ ହେଉଥିବା ଭାରତୀୟ ବୋଲିଂ ଢାକାରେ ପ୍ରଭାବୀ ହୋଇପାରିବ।
ଅନ୍ୟପକ୍ଷରେ ଅସ୍ଥିର ପ୍ରଦର୍ଶନ ଦେଉଥିବା ବାଂଲାଦେଶ ବ୍ୟାଟର୍ମାନେ କଡ଼ା ଆହ୍ବାନର ସମ୍ମୁଖୀନ ହେବେ। ଜାକିର ହାସନ୍, ନାଜ୍ମୁଲ ହୋସେନ ସାଣ୍ଟୋ ଏବଂ ଅଧିନାୟକ ସକିବ ଅଲ୍ ହାସନଙ୍କୁ ପ୍ରଥମ ଟେଷ୍ଟ୍ ପ୍ରଦର୍ଶନକୁ ଜାରି ରଖିବାକୁ ପଡ଼ିବ। ହେଲେ ଲିଟନ ଦାସ ଓ ମୁସ୍ଫିକର ରହିମ୍ଙ୍କୁ ବଡ଼ ପାଳି ଖେଳିବାକୁ ପଡ଼ିବ। ପ୍ରଥମ ଟେଷ୍ଟ୍ ବେଳେ ସାମାନ୍ୟ ଆହତ ହୋଇଥିବା ସକିବ୍ ଦ୍ବିତୀୟ ଟେଷ୍ଟ୍ରେ କେବଳ ବ୍ୟାଟିଂ କରିବେ ବୋଲି ପୂର୍ବରୁ କୁହାଯାଇଥିଲେ ମଧ୍ୟ ସେ ବୋଲିଂ କରିପାରିବେ ବୋଲି ବାଂଲାଦେଶ ପ୍ରଶିକ୍ଷକ ଆଲାନ ଡୋନାଲ୍ଡ ସ୍ପଷ୍ଟ କରିଛନ୍ତି। ପଦାର୍ପଣରେ ଶତକୀୟ ପାଳି ଖେଳିଥିବା ଜାକିର ହାସନଙ୍କ ପାଇଁ ଦ୍ବିତୀୟ ଟେଷ୍ଟ୍ରେ ଭାରତ ନୂଆ ଯୋଜନା କରିଛି ବୋଲି ଅଧିନାୟକ ସୂଚନା ଦେଇଛନ୍ତି। ତେବେ ଏହି ଟେଷ୍ଟ୍ରେ ମୁଖ୍ୟତଃ କୁଲ୍ଦୀପ ଯାଦବ ଏବଂ ଜାକିର ହାସନ ସମସ୍ତଙ୍କ ନଜରରେ ରହିବେ। କୁଲ୍ଦୀପ ପ୍ରଥମ ଟେଷ୍ଟ୍ରେ ଘରୋଇ ଦଳର ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ପ୍ରଥମ ପାଳିରେ ୪୦ ରନ୍ରେ ୫ ୱିକେଟ୍ ଦଖଲ କରିଥିଲା ବେଳେ ଦ୍ବିତୀୟ ପାଳିରେ ଜାକିର ହାସନ ଶତକ ଜମାଇ ବାଂଲାଦେଶ ପକ୍ଷରୁ ପଦାର୍ପଣକୁ ସ୍ମରଣୀୟ କରିଥିଲେ।
ବାଂଲାଦେଶ ଟିମ୍ : ନାଜମୁଲ୍ ହୋସେନ୍ ଶାନ୍ତୋ, ଜାକିର୍ ହସନ୍, ମୋନିନୁଲ୍ ହକ୍, ଲିଟ୍ଟନ୍ ଦାସ, ମୁଶ୍ଫିକର୍ ରହିମ୍, ଶକିବ୍ ଅଲ୍ ହସନ୍ (ଅଧିନାୟକ), ନୁରୁଲ୍ ହସନ୍ (ୱିକେଟ୍ ରକ୍ଷକ), ମେହିଦୀ ହସନ୍ ମିର୍ଜା, ତୈଜୁଲ୍ ଇସ୍ଲାମ୍, ଖାଲେଦ୍ ଅହମଦ୍, ଓ ତାସ୍କିନ୍ ଅହମଦ୍।
ଭାରତୀୟ ଟିମ୍ : କେ. ଏଲ୍. ରାହୁଲ୍ (ଅଧିନାୟକ), ଶୁବମନ୍ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍ରକ୍ଷକ), ଶ୍ରେୟସ୍ ଆୟର୍, ଅକ୍ଷର ପଟେଲ୍, ରବିଚନ୍ଦ୍ରନ୍ ଅଶ୍ବିନ୍, ଜୟଦେବ ଉନାଦକଟ, ଉମେଶ ଯାଦବ ଓ ମହମ୍ମଦ ସିରାଜ।
