ବାଲେଶ୍ୱର : ସାମାନ୍ୟ ବଚସାରୁ ଅଭାବନୀୟ ଘଟଣା, ପରିବା ଦୋକାନୀଙ୍କ ଛିଣ୍ଡିଲା ନାକ
ଔପଦା : ବାଲେଶ୍ୱର ଜିଲା ଔପଦା ଥାନା ସମ୍ମୁଖରେ ଅଭାବନୀୟ ଘଟଣା । ଜଣେ ପରିବା ଦୋକାନୀଙ୍କ ନାକକୁ କାମୁଡ଼ି ଚିଣ୍ଡାଇଦେଲେ ଜଣେ ବ୍ୟକ୍ତି । ଦୋକାନୀ ଜଣକ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଯେ, ଔପଦା ଥାନା ଦରଖୋଳି ଗ୍ରାମର ଭାଗିରଥି ଭଞ୍ଜ ପ୍ରତିଦିନ ପରି ଥାନା ଆଗରେ ପରିବା ଦୋକାନ ଖୋଲି ବିକ୍ରୟ କରୁଥିବା ବେଳେ ମଙ୍ଗଳବାର ପ୍ରାୟ ଦିନ ୧୨ଟା ୪୫ମିନିଟ୍ ସମୟରେ ଏହି ଥାନା ଦୁଖଣ୍ଡ ଖଇରା ଗ୍ରାମର ଗଜେନ୍ଦ୍ର ସେନାପତି ସେଠାରେ ପହଞ୍ôଚ ପାଟି ତୁଣ୍ଡ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ହଟାତ୍ ଗଜେନ୍ଦ୍ର ସେନାପତି ଉତ୍କ୍ଷିପ୍ତ ହୋଇ ପରିବା ଦୋକାନୀ ଶ୍ରୀ ଭଞ୍ଜଙ୍କ ନାକକୁ କାମୁଡ଼ି ଚିଣ୍ଡାଇଦେଲେ । ପାଖ ଦୋକାନୀ ମାନେ ତୁରନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶ୍ରୀ ଭଞ୍ଜଙ୍କୁ ନେଇ ଔପଦା ଡାକ୍ତରଖାନାରେ ପ୍ରାଥମିକ ଚିକତ୍ସା କରାଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ଶ୍ରୀ ଭଞ୍ଜଙ୍କର ଅବସ୍ଥା ଗୁରୁତ୍ୱର ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିବା ବେଳେ ଛିଡ଼ି ଯାଇଥିବା ନାକର କିଛି ଅଂଶକୁ ପରିବାର ଲୋକେ ସାଙ୍ଗରେ ନେଇଥିବା ଜଣାଯାଇଛି । ଏନେଇ ଆକ୍ରମଣରେ ଶିକାର ଶ୍ରୀ ଭଞ୍ଜଙ୍କର ମା’ ଶାନ୍ତିଲତା ଭଞ୍ଜ ଥାନାରେ ଅଭିଯୋଗ କରିଥିବା ବେଳେ ଶ୍ରୀ ସେନାପତିଙ୍କ ସ୍ତ୍ରୀ ସଞ୍ଜୁଲତା ସେନାପତି ଥାନାରେ ପାଲଟା ଅଭିଯୋଗ କରିଥିବା ପୋଲିସ ଠାରୁ ଜଣାଯାଇଛି । ଦୁଇଟି ଅଭିଯୋଗକୁ ନେଇ ପୋଲିସ ପକ୍ଷରୁ ପୃଥକ୍ ଦୁଇଟି ମାମଲା ରୁଜୁ କରାଯାଇଥିବା ବେଳେ ଶ୍ରୀ ସେନାପତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା କହିଛନ୍ତି ।
