ବାଲିଆପାଳ ସ୍ୱର୍ଣ୍ଣିମ ସୁବର୍ଣ୍ଣରେଖା ଉତ୍ସବ ଉଦ୍ଯାପିତ
ବାଲିଆପାଳ : ବାଲିଆପାଳ ନେତାଜୀ ଷ୍ଟାଡିୟମରେ ବାଲିଆପାଳ ବିକାଶ ପରିଷଦ ପକ୍ଷରୁ ଅନୁଷ୍ଠିତ ସ୍ୱର୍ଣ୍ଣିମ ସୁବର୍ଣ୍ଣରେଖା ଉତ୍ସବ ମହାଆଡ଼ମ୍ବର ସହକାରେ ଉଦ୍ଯାପିତ ହୋଇଯାଇଛି ।
ଉତ୍ସବ କମିଟିର ଆବାହକ ଯୁବ ସମାଜସେବୀ ସତ୍ୟକାମ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଜେଡି ମହିଳା ରାଜ୍ୟ କାର୍ଯ୍ୟକାରି ସଭାପତି ତଥା ରେବତୀ ପତ୍ରିକାର ସମ୍ପାଦକ ସମାଜସେବୀ ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସବ ହେଉ କି ମହୋତ୍ସବ ସବୁଠି ନିଷ୍ଠା ଓ ନିଃସ୍ୱାର୍ଥପରତା ରହିବା ଦରକାର । ସମସ୍ତେ ଦଳ ମତ ନିର୍ବିଶେଷରେ ଅଞ୍ଚଳର ବିକାଶ ପାଇଁ ଆଗେଇ ଆସିବା ଆବଶ୍ୟକ ରହିଛି । ଅଞ୍ଚଳର ବିକାଶ ହେଲେ ବେକାରୀ, ବେରୋଜଗାରୀ ହଟିବ ଏବଂ ସମସ୍ତଙ୍କ ମୁହଁରେ ହସ ଫୁଟିବ । ବାଲିଆପାଳ ବିକାଶ ପରିଷଦ ବାଲିଆପାଳ ଅଞ୍ଚଳର ବିକାଶର ମାଧ୍ୟମ ହେଉ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଆଇପିଏସ ଗୋପବନ୍ଧୁ ମଲ୍ଲିକ ଯୋଗଦେଇ ଉତ୍ସବ ଅଞ୍ଚଳର ଜ୍ଞାନ ଗାରିମାକୁ ବଢ଼ାଇଥାଏ । ଭାଇଚାର ଓ ମଣିଷର ଅଭୁଲା ସ୍ମୃତିକୁ ମନେ ପକାଇ ନୂଆ ଆଶା ଓ ଉଦ୍ଦୀପନାକୁ ଜାଗ୍ରତ କରିଥାଏ ବୋଲି ବକ୍ତବ୍ୟରେ କହିଥିଲେ । ଜିଲା ପରିଷଦ ସଦସ୍ୟ ବେଣୁଧର ଜେନା ଓ ସମାଜସେବୀ ପ୍ରଦୀପ ବିଶ୍ୱାଳ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉତ୍ସବ କମିଟିର ସଦସ୍ୟ ପ୍ରଫୁଲ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହରେକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବାଲିଆପାଳ ବିକାଶ ପରିଷଦର ସଭାପତି ଅଧ୍ୟାପକ ଡ. ସୁଶାନ୍ତ ଦାସ ଓ ସମ୍ପାଦକ ପ୍ରତାପ ପାତ୍ର ମଞ୍ଚାସୀନ ଥିବାବେଳେ ଜଗବନ୍ଧୁ ଜେନା ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ଉତ୍ସବରେ ବିଭିନ୍ନ ଦିବସରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଭା ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ମେଲୋଡ଼ି ଅନୁଷ୍ଠିତ ହୋଇଥିଲା । କମିଟିର ସଦସ୍ୟ ମନୋଜ କୁମାର ଜେନା, ବିକ୍ରମ ରାଉତ, ଭକ୍ତରଞ୍ଜନ କର, ବିକ୍ରମ ଦେ, ରାମଚନ୍ଦ୍ର ରାଉତ, ରବୀନ୍ଦ୍ର ନାଥ କାମିଳା, ହରିହର ପ୍ରଧାନ, ରାଧାକୃଷ୍ଣ ଦାସ ମହାପାତ୍ର, କୁମାର କୃଷ୍ଣ ଦାସ, ମିଡିଆ ସଂଯୋଜକ ପ୍ରଦୀପ କୁମାର ଜେନାଙ୍କ ସହିତ ବହୁ ସଦସ୍ୟ ମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରାଇଥିଲେ ।
