ବାଲିଆପାଳ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି
ମୃତକଙ୍କ ନାମରେ ଉଠାଯାଇଥିବା ବାର୍ଦ୍ଧକ୍ୟ ଭତ୍ତା ଅର୍ଥକୁ କରାଯିବ ରିକୋଭରି
ବାଲିଆପାଳ : ବାଲିଆପାଳ ବ୍ଲକ ସଭାଗୃହ ପରିସରରେ ବୁଧବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିଆପାଳ ବିଡ଼ିଓ ବିନୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରକୁ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ।
ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପଞ୍ଚଦଶ ଅର୍ଥ କମିଶନ ଯୋଜନା, ସମ୍ମନିତ ଶିଶୁ ବିକାଶ ଯୋଜନା, ମମତା ଯୋଜନା ସହିତ ବାର୍ଦ୍ଧକ୍ୟ ଭତ୍ତା ସହିତ ଅନ୍ୟାନ୍ୟ ଭତ୍ତା ବିଷୟରେ ଲୋକ ପ୍ରତିନିଧି,ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେବ ବୋଲି କହିଥିଲେ । ଏଦିଗରେ ସରପଞ୍ଚ ଜଗନ୍ନାଥ ବିଶ୍ୱାଳ, ପୂର୍ବତନ ସରପଞ୍ଚ ଦେବ ଦେ, ସମିତି ସଦସ୍ୟ ଶାନ୍ତନୁ ମହାପାତ୍ର, ସୁଶାନ୍ତ ସେଠି ପ୍ରମୁଖ ଏମଜିଏନଆରଇଜିଏସରେ ରହିଥିବା ପ୍ରତିବନ୍ଧକ ଏବଂ କାମକରି ଦୀର୍ଘଦିନ ଧରି ବିଲ୍ ନ ମିଳିବା ବିଷୟରେ ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଗୋଚର କରିଥିଲେ । ଅଙ୍ଗନୱାଡ଼ି କର୍ମୀ ମମତା ଜେନା ତିନି ବର୍ଷର ବକେୟା ଦରମା ପାଇ ନ ଥିବା ବେଳେ ତାଙ୍କ କେନ୍ଦ୍ରର ହେଲ୍ପର କେନ୍ଦ୍ରକୁ ନ ଆସିବା, ତାଙ୍କ ଅଗୋଚରରେ ସୁପରଭାଇଜର ବ୍ୟାଙ୍କରୁ ଟଙ୍କା ଉଠାଇନେବା ଆଦି ବିଷୟରେ ଅଭିଯୋଗ କରିଥିଲେ । ଏ ବିଷୟରେ ସିଡିପିଓ ତୁରନ୍ତ ସମାଧାନ କରିବା ପାଇଁ ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ତାଗିଦ୍ କରିଥିଲେ ।
ଏଥିସହିତ ପଞ୍ଚାୟତସ୍ତରୀୟ ସାମାଜିକ ସମୀକ୍ଷାର ନଜରକୁ ଆସିଥିବା ମୃତ ଲୋକଙ୍କ ନାମରେ ଉଠା ଯାଇଥିବା ବାର୍ଦ୍ଧକ୍ୟ ଭତ୍ତା ଅର୍ଥକୁ ତୁରନ୍ତ ରିକୋଭରି କରାଯିବ ବୋଲି ବିଡ଼ିଓ ବିନୋଦ କୁମାର ପଣ୍ଡା କହିଥିଲେ । ଏହି କାର୍ଯ୍ୟକ୍ରମରେ ଭିଆରପି ମାନେ ପଞ୍ଚାୟତସ୍ତରରେ ସସମାଜିକ ସମୀକ୍ଷା ପାଇଁ ଯାଉଥିବା ବେଳେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଥିବା ବିଷୟରେ ଭିଆରପି ସନ୍ଧ୍ୟା ଜେନା ନିଜର ମତାମତ ରଖିଥିଲେ । ଏମଜିଏନ୍ଆର୍ଇଜିଏସ୍ର ବ୍ଲକ ସହକାରୀ ପ୍ରୋଗ୍ରାମ ଅଫିସର ସୌମ୍ୟରଞ୍ଜନ ଦାସ ଗତ ୨୦୨୧-୨୨ ଆର୍ôଥକ ବର୍ଷରେ ମନରେଗା ଯୋଜନାରେ ବାଲିଆପାଳ ବ୍ଲକର ହୋଇଥିବା କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନ କରିଥିଲେ । ଏହି ଜନ ଶୁଣାଣିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ବ୍ଲକ ଅଭିଯୋଗ ଶୁଣାଣି କମିଟିର ସଦସ୍ୟ, ବିଶ୍ୱାସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଅଜୟ କୁମାର ସାହୁ, ସିଡିପିଓ ମିନତୀ ଦାସ ପ୍ରମୁଖ ଯୋଗଦେଇ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀ ସଞ୍ଜୀବ କୁମାର ଜେନା ଧନ୍ୟବାଦ ଦେଇଥିଲେ ।
