ବାଲେଶ୍ୱର : ଏଫଏମୟୁ ସହ ୟୁଥ୍ ଫର ସୋସିଆଲ ଡେଭେଲପମେଣ୍ଟର ଏମଓୟୁ ସ୍ୱାକ୍ଷର
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫଏମୟୁ)ର ସୋସିଆଲ ୱାର୍କ ବିଭାଗର ସହଯୋଗରେ ‘ୟୁଥ ଫର ସୋସିଆଲ ଡେଭେଲପମେଣ୍ଟ’, ଓଡ଼ିଶା ସମାଜସେବୀ ସଂସ୍ଥାନ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର ସମାରୋହ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଓ ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ରର ସ୍ୱାକ୍ଷର ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ତରଫରୁ କୁଳସଚିବ କୁକୁମୀନା ଦାସ ଓ ‘ୟୁଥ ଫର ସୋସିଆଲ ଡେଭେଲପମେଣ୍ଟ’ ସଂସ୍ଥା ତରଫରୁ ସେକ୍ରେଟେରୀ ବିଭୁପ୍ରସାଦ ସାହୁ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।
ଉଭୟ ଅନୁଷ୍ଠାନ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀଙ୍କୁ ମିଳିତ ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗମାନକୁ ଉତ୍ତୋଳନ କରିବା ସହ ସମାଧାନର ସୂତ୍ର ଜନସାଧାରଣଙ୍କ ମଧ୍ୟରେ ସ୍ଥାପନ କରିବା ଏହି ବୁଝାମଣାପତ୍ରର ମୂଖ୍ୟ ଉଦ୍ଦେଶ୍ୟ ବୋଲି ସୂଚୀତ କରାଯାଇଥିଲା । ଗବେଷଣା, ସର୍ବେକ୍ଷଣ ଓ ତଥ୍ୟ ସଂଗ୍ରହ ଆଦି ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ଦୁଇ ଅନୁଷ୍ଠାନ ଉଭୟଙ୍କୁ ସହଯୋଗ ଯୋଗାଇ ଦେବା ସହ ଜାତୀୟ-ଆନ୍ତର୍ଜାତିକସ୍ତରର ଆଲୋଚନାଚକ୍ର ଗୁଡ଼ିକରେ ଅଂଶଗ୍ରହଣର ସୂଯୋଗ ଉତ୍ପନ୍ନ ହୋଇପାରିବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ସମାଜରେ ପରିବର୍ତ୍ତନ ଓ ସ୍ଥାୟୀ ବିକାଶର ଲକ୍ଷ୍ୟ ନେଇ ସୋସିଆଲ ସାଇନ୍ସ, ସୋସିଆଲ ୱାର୍କ ଓ ପପୁଲେସନ ଷ୍ଟଡ଼ିଜ ଆଦି ପାଠ୍ୟକ୍ରମର ଛାତ୍ରୀଛାତ୍ରଙ୍କୁ ନିଜ ଇନ୍ଟରସିପ ଗ୍ରହଣ କରିବା ସହ ନିଜ ବୃତ୍ତିଗତ ଜ୍ଞାନ ଆହରଣ ପାଇଁ ଏହା ଏକ ଉକୃଷ୍ଟ ମାଧ୍ୟମ ହୋଇପାରିବ ବୋଲି ବିଭୁପ୍ରସାଦ ସାହୁ ଉଲ୍ଲେଖ କରିଥିଲେ । ପପୁଲେସନ ଷ୍ଟଡିଜ ବିଭାଗର ଡ. ଗ୍ରେସ୍ ବି ମୁଣ୍ଡୁ, କାର୍ଯ୍ୟକ୍ରମର ସଂଯୋଜକ ତଥା ଆସିଷ୍ଟାଣ୍ଟ ପ୍ରଫେସର ରଶ୍ମିରେଖା ରାଉତ ଓ ଆସିଷ୍ଟାଣ୍ଟ ପ୍ରଫେସର ସୁପ୍ରିୟା ରାଉତ ସଞ୍ଚାଳନ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମରେ ୟୁଥ ଫର ସୋସିଆଲ ଡେଭେଲପମେଣ୍ଟର ସଦସ୍ୟ ଚନ୍ଦନ କୁମାର ସାହୁ ତଥା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ମୁଖ୍ୟ, ଶିକ୍ଷୟିତ୍ରୀଶିକ୍ଷକ, ଅଣଶିକ୍ଷକ କର୍ମଚାରୀମାନଙ୍କ ସହିତ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ଅବସରରେ ବିଭୁପ୍ରସାଦ ସାହୁଙ୍କ ଦ୍ୱାରା ‘ଚାଇଲ୍ଡ ଫ୍ରେନ୍ଡଲି ଇକୋସିଷ୍ଟମ ଏଣ୍ଡ ରୋଲ ଅଫ ସିଭିଲ ସୋସାଇଟି: ଏ କେସ ଫର ୟୁଥ ଫର ସୋସିଆଲ ଡେଭେଲପମେଣ୍ଟ ଇନ୍ ଓଡ଼ିଶା’ ବିଷୟବସ୍ତୁ ସମ୍ବନ୍ଧୀତ ଏକ ଏକ୍ସଟ୍ରା ମ୍ୟୁରାଲ ଲେକ୍ଚରର ଅନୁଷ୍ଠିତ ହୋଇଥିଲା ।
