ବାଲେଶ୍ୱର : ଏଟିଏମ୍ କାଟି ଲୁଟ ଉଦ୍ୟମ ଘଟଣା, ୮ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଏଟିଏମ୍ ଲୁଟ୍ ଘଟଣା । ବିଶେଷ କରି ଏଟିଏମ୍କୁ କାଟି, ତାଡ଼ି, ଭାଙ୍ଗି ଟଙ୍କା ଲୁଟି ନେଉଛନ୍ତି ଦୁର୍ବୃତ୍ତ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ପୋଲିସ ଦୁଇଟି ଏଟିଏମ୍ ଲୁଟ୍ ଘଟଣାରେ ସମ୍ପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ଯନ୍ତ୍ରପାତି (ଏଟିଏମ୍ କାଟିବା ପାଇଁ ବ୍ୟବହୃତ) ସାମଗ୍ରୀ ଜବତ କରାଯାଇ ଥିବାର ଗୁରୁବାର ଏସ୍ପି ଅଫିସ୍ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରୀକା ନାଥ ସୂଚନା ଦେଇଛନ୍ତି ।

ସୂଚନା ଯେ, ଗତ ୪ ତାରିଖ ମଧ୍ୟରାତ୍ରରେ ବାଲେଶ୍ୱର ଜିଲା ରେମୁଣା ଥାନା ଅନ୍ତର୍ଗତ ଦୁର୍ଗାଦେବୀ ବଜାରରେ ଥିବା ଏକ ଏଟିଏମ୍କୁ ଦୁର୍ବୃତ୍ତମାନେ ଗ୍ୟାସ କଟରରେ କାଟି ଲୁଟ୍ ଉଦ୍ୟମ କରିଥିଲେ । ମାତ୍ର ଏଥିରେ ବିଫଳ ହୋଇଥିଲେ । ସେହିପରି ଅନ୍ୟ ଏକ ଘଟଣା ଅନୁସାରେ ରସାଳପୁର ମାର୍କେଟ୍ରେ ଥିବା ଏକ ଏଟିଏମ୍କୁ ଗତ ୨୦୨୩ ନଭେମ୍ବର ୨୮ ତାରିଖ ମଧ୍ୟରାତ୍ରରେ ଦୁର୍ବୃତ୍ତମାନେ ଗ୍ୟାସ କଟରରେ କାଟି ଲୁଟ୍ ଉଦ୍ୟମ କରିଥିଲେ ହେଁ ଏଥିରେ ମଧ୍ୟ ବିଫଳ ହୋଇଥିଲେ । ଫଳରେ ଦୁଇଟି ଯାକ ଏଟିଏମ୍ରୁ ଟଙ୍କା ଲୁଟ୍ ହୋଇନଥିଲା । ରେମୁଣା ଥାନା ପକ୍ଷରୁ ଦୁଇଟି ଘଟଣାରେ ତଦନ୍ତ କରାଯାଇ ଏହି ଲୁଟ୍ ଘଟଣାରେ ୯ଜଣ ଦୁର୍ବୃତ୍ତ ସାମିଲ ଥିବାର ଜାଣିବାକୁ ପାଇଥିଲା । ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବାବେଳେ ଏଟିଏମ୍ ଲୁଟ୍ରେ ବ୍ୟବହୃତ ବ୍ଲାକ ସ୍ପ୍ରେ, କଟର ପାଇପ, ଅକ୍ସିଜେନ ରେଗୁଲେଟର, ଗୋଟିଏ ମୋଟର ସାଇକେଲ, କ୍ରୋବାର, ୭ଟି ତେଲେଙ୍ଗା କଟୁରୀ ଓ ୭ଟି ମୋବାଇଲ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ କଇଁଧାରୀ ଅଞ୍ଚଳର ସଞ୍ଜୟ କୁମାର ଜେନା (୨୧), ତପସୀ ଗ୍ରାମର କାଳନ୍ଦୀ ବୈଇଠା (୩୭), ଟିଗିରିଆ ଅଞ୍ଚଳର ବାଦଲ ମାଝୀ (୬୦), ଝଗଡ଼ପାଢ଼ି ଅଞ୍ଚଳର ରାକେଶ କୁମାର ସାହୁ (୨୬) ଓ ସଈପୁର ଅଞ୍ଚଳର ଧର୍ମେନ୍ଦ୍ର ବାରିକ (୨୨) ଏବଂ ରେମୁଣା ଥାନା ଅନ୍ତର୍ଗତ ମନ୍ଦାରପୁର ଅଞ୍ଚଳର ବିଜୟ ଦାସ (୩୦) ଓ ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ବଡ଼ସାହି ଗ୍ରାମର ଧର୍ମପଦ ଦାସ (୨୩) ଓ ବେତନଟୀ ଥାନା ଅନ୍ତର୍ଗତ ବଡ଼ଯୋଡ଼ ଅଞ୍ଚଳର ମନୋରଞ୍ଜନ ନାୟକ (୨୨) । ସେହିପରି ଗିରଫ ଅଭିଯୁକ୍ତମାନେ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଅଞ୍ଚଳର ଏକ ଏଟିଏମ୍ ଲୁଟ୍ ଘଟଣାରେ ସାମିଲ ଥିବାର ଜଣାପଡ଼ିଛି । ଅନ୍ୟପକ୍ଷରେ ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ଅଧିକ ତଦନ୍ତ ଜାରି ରହିଛି । ଗିରଫ ଅଭିଯୁକ୍ତମାନେ ରେମୁଣା ଥାନା ମାମଲା (ନଂ. ୩/୨୪), ଖୁଣ୍ଟା ଥାନା ମାମଲା (ନଂ. ୩/୨୪) ଓ ସଦର ଥାନା ମାମଲା (ନଂ. ୧୬/୨୪)ରେ ସମ୍ପୃକ୍ତ ଥିବାର ଜିଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଖବରଦାତା ସମ୍ମିଳନୀରେ ସଦର ଏସ୍ଡ଼ିପିଓ ଶଶାଙ୍କ ଶେଖର ବେଉରିଆ, ସଦର ଥାନା, ରେମୁଣା ଥାନାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
