ବାଲେଶ୍ୱର : ୧୬ ଫେବୃଆରୀ ଧର୍ମଘଟକୁ ବିଭିନ୍ନ ରାଜନୈତିକ ଦଳର ସମର୍ଥନ
ବାଲେଶ୍ୱର : ବାଲେଶ୍ୱର ସହର ନୂଆବଜାର ସ୍ଥିତ ସିପିଆଇ(ଏମ୍) କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ ବାମପନ୍ଥୀ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା କରି ମିଳିତ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିଅନ୍, ସ୍ୱାଧୀନ ଫେଡେରେସନ୍, ବିଭିନ୍ନ ଏସୋସିଏସନ୍ ଏବଂ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ‘ଦରଦାମ୍ ବୃଦ୍ଧି, ବେକାରୀ ବୃଦ୍ଧି ସାଙ୍ଗକୁ ଶ୍ରମ ଆଇନ୍ ପରିବର୍ତ୍ତନ ବିରୁଦ୍ଧରେ ଚାଷର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ୱାମୀନାଥନ କମିଟି ସୁପାରିସ୍ ଅନୁଯାୟୀ ଆଇନ୍ ପରିଣତ କରିବା ସହିତ ୨୧ ଦଫା ଦାବି ସହିତ ‘ମୋଦୀ ହଟାଅ-ଦେଶ ବଞ୍ଚାଅ’ ଦାବି ଉପରେ ଦେଶତମାମ ସାଧାରଣ ଧର୍ମଘଟ ଆହ୍ୱାନକୁ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ଫରୱାର୍ଡ଼ ବ୍ଲକ୍ ଏବଂ ତୃଣମୂଳ କଂଗ୍ରେସ ଦଳ ଏହି ଆନ୍ଦୋଳନକୁ ସମର୍ଥନ ଜଣାଉଥିବାର କହିଥିଲେ ।
ଜିଲ୍ଲାର ସମସ୍ତ ଶିଳ୍ପ-କାରଖାନା ଶ୍ରମିକ, ବିଭିନ୍ନ ସ୍କିମ୍ରେ ଥିବା ଶ୍ରମିକ କର୍ମଚାରୀ, କୃଷି ଶ୍ରମିକ ଓ ଅସଂଗଠିତ ଶ୍ରମିକମାନେ ଧର୍ମଘଟରେ ସାମିଲ ହେବେ । ଗ୍ରାମାଞ୍ଚଳରେ କୃଷକ ସଂଗଠନମାନେ ଆସନ୍ତା ଫେବୃଆରୀ ୧୬ରେ ହେବାକୁ ଥିବା ସାଧାରଣ ଧର୍ମଘଟକୁ ସଫଳ କରାଇବେ ବୋଲି ବୈଠକରେ ଘୋଷଣା କରାଯାଇଛି । ବୈଠକରେ ଜାତୀୟ କଂଗ୍ରେସର ଜିଲା ସଭାପତି ସଞ୍ଜୀବ ଗିରି, ଆଇଏନ୍ଟିୟୁସି ସଭାପତି ସୁରେଶ ବେହେରା, ସିପିଆଇ(ଏମ୍) ଜିଲା ସଂପାଦକ ଶିଶିର ହୁଇ, ନିର୍ମଳ ନାୟକ, ଶ୍ୟାମସୁନ୍ଦର ଜେନା, ସିପିଆଇ ଜିଲା ନେତୃତ୍ୱ ଶ୍ୟାମସୁନ୍ଦର ଜେନା, ଫରୱାର୍ଡ଼ ବ୍ଲକ୍ର ନେତା ସର୍ବେଶ୍ୱର ମିଶ୍ର, ତୃଣମୂଳ କଂଗ୍ରେସର ନେତା ନନ୍ଦନ ପାଲ, ସେକ୍ ଅବଦୁଲ ତାରିବ୍, ସେକ୍ ରହମତ୍, ସାଜନ ସାହା ପ୍ରମୁଖ ଯୋଗ ଦେଇଥିଲେ ।
