ବାଲେଶ୍ୱର : ଶ୍ରୀଜଗନ୍ନାଥଙ୍କ ପଟିଦିଅଁ ଅଙ୍କନ ଉତ୍ସବ ଶୁଭାରମ୍ଭ
- ତିନି ପଟିରେ ଲାଗିଲା ରଙ୍ଗ
- ସ୍ନାନ ପୂର୍ଣ୍ଣୀମା ଅପରାହ୍ନରେ ମନ୍ଦିର ବିଜେ
ବାଲେଶ୍ୱର : ବାଲେଶ୍ୱରୀ କଳା କେନ୍ଦ୍ର ଓ ବିଶ୍ୱ ଓଡ଼ିଶା କଳା ପରିଷଦର ମିଳିତ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପଟିଦିଅଁ ଅଙ୍କନ ଉତ୍ସବ ନିର୍ଜ୍ଜଳା ଏକାଦଶୀ ତିଥି ଅବସରରେ ରେମୁଣା ଗୋଲେଇ ନିକଟସ୍ଥ ମଙ୍ଗଳପୁର ଜଗନ୍ନାଥ ମନ୍ଦିରରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଶୁଭାରମ୍ଭ ହୋଇଯାଇଛି । ଏହି ଉତ୍ସବକୁ ମୁଖ୍ୟଅତିଥି ଭାବରେ ଜଗନ୍ନାଥ ପ୍ରେମୀ ଡା. କୁମାର ଗୋପାଳ ଯୋଗଦେଇ ଜଗନ୍ନାଥଙ୍କୁ ପ୍ରଦୀପ ପ୍ରଦାନ କରି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିବା ବେଳେ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପରିଚାଳକ ମନୋରଞ୍ଜନ ସାହୁ ଓ ପୂଜକ ଲକ୍ଷ୍ମୀନାରାୟଣ ପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏଥିରେ ଚଳିତବର୍ଷ ଜଗନ୍ନାଥଙ୍କ (ଅନନ୍ତ ନାରାୟଣ) ସ୍ୱୀକୃତି ପ୍ରାପ୍ତ ଚିତ୍ରକର ଶିଳ୍ପୀ କେଶୁଦାସ, ବଳଭଦ୍ରଙ୍କ (ଅନନ୍ତ ବାସୁଦେବ) ସ୍ୱୀକୃତି ପ୍ରାପ୍ତ ଚିତ୍ରକର ଅରୁଣ କୁମାର ବାରିକ ଓ ସୁଭଦ୍ରାଙ୍କ (ଭୂବନେଶ୍ୱରୀ) ସ୍ୱୀକୃତି ପ୍ରାପ୍ତ ଚିତ୍ରକର ପ୍ରୀତମ ନାୟକ ସହ ଧନଞ୍ଜୟ ଧଳ, ରୂପକ ଦାସ, ପ୍ରବୀର ପାତ୍ର, ଅଙ୍କିତ ଦାସ, ଦେବାଶିଷ ପତି, ହିମାଂଶୁ ବଇଠା, ମନୀଷ ମହାପାତ୍ର, ଗୌତମ ସିଂ ପ୍ରମୁଖ ଚିତ୍ରକର ଯୋଗ ଦେଇଥିଲେ । ଚଳିତବର୍ଷ କୋଭିଡ ନିୟମକୁ ପାଳନ କରାଯାଇ ବାଲେଶ୍ୱରର ନୀଳଗିରି ଜଗନ୍ନାଥ ମନ୍ଦିର, ଶାସଙ୍ଗର ଜଗନ୍ନାଥ ମନ୍ଦିର, ମୋତିଗଞ୍ଜ ବାଣ୍ଠିଆ ଜଗନ୍ନାଥ ମନ୍ଦିର, ଜଳେଶ୍ୱର ଇସ୍କନ୍ ଶ୍ରୀଜଗନ୍ନାଥ ମନ୍ଦିର, ଜୟଦେବ କସବାର ଜଗନ୍ନାଥ ମନ୍ଦିର, ମଙ୍ଗଳପୁର ଜଗନ୍ନାଥ ମନ୍ଦିର, ଦୁବଲାଗଡ଼ିର ପତିତପାବନ ଶ୍ରୀଜଗନ୍ନାଥ ଓ ଗଣେଶ୍ୱରପୁରର କାଳିଆଛୁଆ ଶ୍ରୀଜଗନ୍ନାଥଙ୍କର ଯଥାବିଧି ପଟିଦିଅଁ ଉପସ୍ଥିତ ରହି ପଟିରେ ରଙ୍ଗ ଲଗାଇଥିଲେ । ଗତ ରବିବାର ଦଶମୀ ତିଥି ଅବସରରେ ଅଧିବାସ ଦିବସରେ ଚିତ୍ରକରମାନେ ପଟି ଓ ରଙ୍ଗ ପ୍ରସ୍ତୁତ କରିଥିଲେ । ଆସନ୍ତା ଜୁନ୍ ମାସ ୨୪ ରିଖ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦିବସ ବ୍ୟାପି ମନ୍ଦିର ପରିସରରେ ପାରମ୍ପାରିକ ରୀତିରେ ଏକ କଳାତ୍ମକ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ଚାଲୁ ରହିବ । ଦେବ ସ୍ନାନ ପୂର୍ଣ୍ଣିମା ଦିନ ସମସ୍ତ ଜଗନ୍ନାଥ ମନ୍ଦିରରୁ ବଡ଼ପଣ୍ଡାମାନେ ଆଜ୍ଞାମାଳ ସହ ତୂରୀଭେରୀ, ଖୋଳ କରତାଳ ଧରି ଆସି ପଟିଦିଅଁଙ୍କୁ ବିଜେ କରି ନେଇଯିବେ ।
ପ୍ରକାଶଥାଉ କି ସୂଚନା ଯେ, ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପରମ୍ପରା ତଥା ଉତ୍କଳିୟ ଚିତ୍ରକଳା ଓ ଚିତ୍ରକରଙ୍କର ନିଆରା ପର୍ବକୁ ଲୋକାଭିମୁଖି କରିବା ଲକ୍ଷ୍ୟରେ ବାଲେଶ୍ୱରର ବାଲେଶ୍ୱରୀ କଳା କେନ୍ଦ୍ର ଓ ନୋସି କଲଚ୍ୟୁରାଲ ଏକାଦେମିର ମିଳିତ ସହଯୋଗରେ ବାଲେଶ୍ୱରରେ ପ୍ରଥମଥର କରି ଗତ ୨୦୧୫ ଶ୍ରୀଜଗନ୍ନାଥଙ୍କ ନବକଳେବର ବର୍ଷ ବାମପଦାସ୍ଥ ନୋସି ବିଜନେସ୍ ପାର୍କ ସ୍ଥିତ ଉତ୍କଳା ଶିଳ୍ପଗ୍ରାମରେ ଆରମ୍ଭ ହୋଇଥିଲା ପଟଦିଅଁ ଅଙ୍କନ ଉତ୍ସବ । ଏଠାରେ ପୁରୀ ଶ୍ରୀମନ୍ଦିରର ରୀତିନୀତି, ବିଧି ଓ ପରମ୍ପରାକୁ ଅନୁସରଣ କରି କାର୍ଯ୍ୟ ସମାପନ ପାଇଁ ପ୍ରୟାସ କରାଯାଉଛି । ମନ୍ଦିର କମିଟିର ବିଧି ପରମ୍ପରାରେ ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରେ ମନ୍ଦିର କମିଟି ଦ୍ୱାରା ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଭୁବନେଶ୍ୱରୀ ପଟିଦିଅଁ ପାଇଁ ତିନିଜଣ ଚିତ୍ରକରଙ୍କୁ ନୂତନ ବସ୍ତ୍ର ଓ ଭୋଜ୍ୟ ପ୍ରଦାନ କରି ଅଣସର ପଟି ବା ପଟିଦିଅଁ ଅଙ୍କନ ପାଇଁ ସ୍ୱୀକୃତି ପ୍ରଦାନ କରନ୍ତି । ଦେବସ୍ନାନ ପୂର୍ଣ୍ଣିମା ସନ୍ଧାରେ ମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଗ୍ରହଣ କରି ଚିତ୍ରକର ଆଙ୍କୁଥିବା ସ୍ଥାନରେ ଉପସ୍ଥିତ ହୋଇ ମୁଖ୍ୟ ପୂଜକ ପଟିଦିଅଁଙ୍କୁ ପୂଜାକରି ଶଂଖ, କରତାଳ, କାହାଳି, ଢୋଲ ଇତ୍ୟାଦି ପାରମ୍ପରିକ ବାଦ୍ୟ ବାଦନ କରି ମନ୍ଦିରକୁ ବିଜେ କରନ୍ତି । ମନ୍ଦିରର ଗର୍ଭଗୃହ ଦ୍ୱାର ସମ୍ମୁଖରେ ଚାଞ୍ଚଡା ତାଟି କରାଯାଇ ତା\’ ଉପରେ ତିନି ପଟିଦିଅଁଙ୍କୁ ସ୍ଥାପନ ପୂର୍ବକ ଯଥାବିଧି ପୂଜାର୍ଚ୍ଚନା କରନ୍ତି ଦେବସ୍ନାନ ପୂର୍ଣ୍ଣିମା ରାତିରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ । ମନ୍ଦିର କମିଟି ବିଧି ମୁତାବକ ତିନି ପଟିଦିଅଁଙ୍କୁ ବିସର୍ଜନ କରିପାରନ୍ତି । ଚିତ୍ରକରଙ୍କର ବିଧି ପରମ୍ପରାରେ ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ପଟିଦିଅଁ ଅଙ୍କନର ଅଧିବାସ ଦିବସ ଭାବେ ପାଳନ କରାଯାଇ ମହିଳା ଶିଳ୍ପୀମାନଙ୍କ ଦ୍ୱାରା ନୂତନ ସୂତା କପଡାରେ ପାରମ୍ପରିକ ପଟି ଓ ରଙ୍ଗ ପ୍ରସ୍ତୁତ କର\”ି । ଜ୍ୟେଷ୍ଠ ଶୁକ୍ଳ ନିର୍ଜ୍ଜଳା ଏକାଦଶୀରୁ ପଟିଦିଅଁ ଅଙ୍କନ ଆରମ୍ଭ କରାଯାଇ ଦେବସ୍ନାନ ପୂର୍ଣ୍ଣିମା ସନ୍ଧା ସୁଦ୍ଧା ସମାପ୍ତ କରାଯଏ । ତିନୋଟି ଅଲଗା ଅଲଗା ଚିତ୍ରଶାଳାରେ ତିନିଜଣ ସ୍ୱୀକୃତିପ୍ରାପ୍ତ ଚିତ୍ରକର ସହ ସହଯୋଗୀ ଚିତ୍ରକରମାନେ ଶୁଦ୍ଧ ଓ ପବିତ୍ରତାର ସହ ପାରମ୍ପରିକ ଶୁଦ୍ଧ ବସ୍ତ୍ର ପରିଧାନ ପୂର୍ବକ ଅଙ୍କନ କାର୍ଯ୍ୟ ସମାପନ କରନ୍ତି । ଚିତ୍ରଶାଳା ବା ପଟିଦିଅଁ ଅଙ୍କନ ଗୃହକୁ ନିର୍ଦ୍ଧାରିତ ଚିତ୍ରକର ଛଡ଼ା ଅନ୍ୟ କେହି ପ୍ରବେଶ କରନ୍ତି ନାହିଁ । ପଟିଦିଅଁ ଅଙ୍କନରେ କେବଳ ପୁରୁଷ ଚିତ୍ରକର ଯୋଗଦେଲା ବେଳେ ମହିଳା ଚିତ୍ରକରମାନେ ପଟି ଓ ରଙ୍ଗ ପ୍ରସ୍ତୁତି ସହ ଅନ୍ୟାନ୍ୟ ବାହ୍ୟ କାର୍ଯ୍ୟ ତୁଲାନ୍ତି ।


