ବାଲେଶ୍ୱର : ୪.୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବଦ, ୨ ବେପାରୀ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ବ୍ରାଉନସୁଗାର ବେପାର ଥମିବାର ନା ନେଉନି । ଜିଲାରେ ବେଧଡ଼କ ବ୍ରାଉନସୁଗାର ବେପାର ଚାଲୁ ରହିଥିବା ବେଳେ ପୋଲିସ ପକ୍ଷରୁ ଲଗାତର ଚଢ଼ାଉ ଜାରିରହିଥିଲେ ହେଁ କାରବାର ପାଇଁ ବେପାରୀ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ୬୦ ନଂ ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦିପଦା ବାଇପାସ ପୋଲ ନିକଟରୁ ପୋଲିସ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ରାମଚନ୍ଦ୍ରପୁର ଅଞ୍ଚଳର ସେକ ରାସକୋ ଏବଂ ସମନାଥପୁର ଅଞ୍ଚଳର ପ୍ରଫୁଲ ଦାସ ।
ଏହି ଦୁଇ ବେପାରୀ କରବାରରେ ଲିପ୍ତ ଥିବା ବେଳେ ବସ୍ତା ଥାନା ପୋଲିସ ଅଚାନକ ଚଢ଼ାଉ କରି ସେମାନଙ୍କ ଠାରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବଦ କରିଥିଲେ । ଜବତ ବ୍ରାଉନ ସୁଗାରର ବଜାର ମୂଲ୍ୟ ୪ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଏ ସମ୍ପର୍କରେ ପୋଲିସ ଏକ ମାମଲା ନଂ ୧୦୩/୨୨ ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଛି ।
