ବାଲେଶ୍ୱର : ଅଭାବନୀୟ ଘଟଣା ! ଟ୍ରେନରେ କଟି ସ୍ୱାମୀ ମୃତ, ସ୍ତ୍ରୀ ଆହତ
ରୂପସା : ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପସା ଓ ନୂଆଗାଁ ରେଳ ଷ୍ଟେସନ ମଝି ଓଗାଳଷେଣ୍ଢ ପୋଲ ନିକଟରେ ଅଘଟଣ । ଶୁକ୍ରବାର ଏକ ଟ୍ରେନରେ କଟି ସ୍ୱାମୀଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାଏକ (୬୨) ।
ସୂଚନା ଯେ, ପୂର୍ଣ୍ଣଚନ୍ଦ୍ର ଓ ସ୍ତ୍ରୀ ପୂର୍ଣ୍ଣିମା ଏକ କାମରେ ବାରାପାଳ ଗ୍ରାମକୁ ଆସିଥିଲେ । ରେଳଧାରଣା ପାରି ହେବା ସମୟରେ ଡାଉନ ନୀଳାଚଳ ଏକ୍ସପ୍ରେସ ଟ୍ରେନ ଧକ୍କାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା ଓ ସ୍ତ୍ରୀ ଙ୍କର ଦୁଇଟି ଯାକ ହାତ କଟିଯାଇଥିଲା । ସ୍ଥାନୀୟ ଲୋକେ ଆହତ ମହିଳାଙ୍କୁ ଉଦ୍ଧାର କରି ଟ୍ରେନ୍ ଯୋଗେ ବସ୍ତା ଷ୍ଟେସନ ନିଆଯାଇଥିଲା । ସେଠାରୁ ବସ୍ତା ଦମକଳ ବାହିନୀ ପହଞ୍ôଚ ଆହତ ମହିଳାଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ବାଲେଶ୍ୱର ଜିଆର୍ପି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଜାରି ରଖିଛି ।
