ବାଲେଶ୍ୱର : ବିଭିନ୍ନ ଦାବି ନେଇ ବିଜୁ ଶ୍ରମିକ ସାମୁଖ୍ୟ ଟାଟା ପାୱାର ଉତ୍ତରାଞ୍ଚଳ ଶାଖାର ଖବରଦାତା ସମ୍ମିଳନୀ
ବାଲେଶ୍ୱର : ବାଲେଶ୍ୱର ସହର କାଳୀମନ୍ଦିର ନିକଟସ୍ଥ ସଂଘ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସହ ବନ୍ଧିତ ବିଜୁ ଶ୍ରମିକ ସାମୁଖ୍ୟ ଟାଟା ପାୱାର ଉତ୍ତରାଞ୍ଚଳ ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଟାଟା ପାୱାର ଉତ୍ତରାଞ୍ଚଳ ଶାଖା ପକ୍ଷରୁ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର ଅସ୍ଥାୟୀ କର୍ମଚାରୀମାନଙ୍କୁ ଚାକିରି ଦେବାକୁ ଏହି ସଂଘ ଅନେକ ଦିନ ଧରି ଦାବି କରି ଆସିଥିଲା ବେଳେ ଟାଟା ପାୱାର କର୍ତ୍ତୃପକ୍ଷ ନିକଟ ଅତିତରେ କିଛି ଶ୍ରମିକମାନଙ୍କୁ ନିଯୁକ୍ତି ପ୍ରଦାନ ମଧ୍ୟ କରିଥିଲେ । ହେଲେ ଏଥିରେ ପାତର ଅନ୍ତର କରାଯାଇଛି । ଆଉଟ ସୋର୍ସରେ କାର୍ଯ୍ୟ କରୁଥିବା କିଛି ବର୍ଗ ଯଥା ପିଏସ୍ଏସ୍, ଏମ୍ବିସିଙ୍କୁ ଅନ୍ୟ ଜୋନ୍ମାନଙ୍କରେ ନିଯୁକ୍ତି ଦିଆଯାଇଥିବା ବେଳେ ବାଲେଶ୍ୱର ଟିପିଏନଓଡିଏଲରେ ଏହି ନିଯୁକ୍ତିକୁ ବଞ୍ôଚତ କରାଯାଇଛି ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ।
ଏହାଛଡ଼ା ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ନିଯୁକ୍ତିର ପ୍ରକିୟା ଆରମ୍ଭ ନକରି ଉଡ଼ାଣ ଭଳି ଏକ ଅନାବଶ୍ୟକୀୟ ପ୍ରଥା କାର୍ଯ୍ୟକାରୀ କରିବାକୁ ଯାଉଛି । ଏହାକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହ ଓଡ଼ିଶା ସରକାରଙ୍କ ଇଏଲବିଓ ନିୟମକୁ ଲାଗୁ କରିବା ପାଇଁ ଦାବି କରାଯାଇଛି । ଏହାବ୍ୟତୀତ ଟାଟା ପାୱାର ଅଧୀନରେ କାର୍ଯ୍ୟରତ ସ୍ନାତକ ଡିଗ୍ରୀଧାରୀ ଶ୍ରମିକମାନଙ୍କ ପାଇଁ ବୟସ ଓ ମାର୍କକୁ କୋହଳ କରାଯାଇ ନିଯୁକ୍ତି ପ୍ରକ୍ରିୟା ତୁରନ୍ତ କରାଯିବାକୁ ଦାବି କରାଯାଇଛି । ଟାଟା ପାୱାର କର୍ତ୍ତୃପକ୍ଷ ଆସନ୍ତା ୧୫ତାରିଖ ସୁଦ୍ଧା ଏହା ପୂରଣ ନକଲେ ୧୫ ତାରିଖରେ ଟାଟାପାୱାର କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି କୁହାଯାଇଛି । ଖବରଦାତା ସମ୍ମିଳନୀରେ ଜୋନାଲ ସମ୍ପାଦକ ହରିଶ୍ଚନ୍ଦ୍ର ଦାସ, ସହ-ସମ୍ପାଦକ ପ୍ରଦୀପ କୁମାର ଦାସ, ସଙ୍ଗଠନ ସମ୍ପାଦକ ବଟକୃଷ୍ଣ ଜେନା, ମଣ୍ଡଳ ସମ୍ପାଦକ ପ୍ରଦୀପ କୁମାର ଦାସ, ଯୁଗ୍ମ ସମ୍ପାଦକ ନିଗମାନନ୍ଦ ରାଉତ, ବିଇଡ଼ି ଡିଭିଜନ ସମ୍ପାଦକ ଗୋପାଳ ମାଲାକାର, ସିଇଡ଼ି ଡିଭିଜନ ସମ୍ପାଦକ ରାଜୀବ ଲୋଚନ ରାଉତ, ବସ୍ତା ଡିଭିଜନ ସମ୍ପାଦକ ବ୍ରଜ ବିହାରୀ ବାଗ, ଜଳେଶ୍ୱର ଡିଭିଜନ ସମ୍ପାଦକ ହରିଶଙ୍କର ସାହୁ, ସୋର ଡିଭିଜନ ସମ୍ପାଦକ କାର୍ତ୍ତିକେଶ୍ୱର ପାଣ୍ଡବ, କାର୍ଯ୍ୟାଳୟ ସମ୍ପାଦକ ବିଭୂତି ଭୁଷଣ ପଢ଼ିଆରୀ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ପ୍ରଧାନ, ସୋମଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
