ବାଲେଶ୍ୱର : ଖୋଲିଲା ସୌନ୍ଦର୍ଯ୍ୟମୟୀ କୁଲଡ଼ିହା ଅଭୟାରଣ୍ୟ, ପ୍ରଥମ ଦିନରେ ୩୪ ପର୍ଯ୍ୟଟକଙ୍କୁ ସ୍ୱାଗତ
ନୀଳଗିରି : ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର । ବର୍ଷା ଦିନ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍ ୧୫ ତାରିଖରୁ ବନ୍ଦ ରହିଥିବା ବେଳେ ଶୀତଋତୁ ଆଗମନରେ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡ଼ିହା ଅଭୟାରଣ୍ୟକୁ ନଭେମ୍ବର ୧ ତାରିଖ ତଥା ବୁଧବାର ପୂର୍ବାହ୍ନ ୧୦ଟାରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ଚଳିତବର୍ଷ ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନେ ପଶ୍ଚିମବଙ୍ଗରୁ ଆସି ପୂର୍ବ ରାତିରେ ପଞ୍ଚଲିଙ୍ଗେଶ୍ୱର ପୀଠ ନିକଟ ହୋଟେଲରେ ରାତ୍ରି ଯାପନ କରି ବୁଧବାର ପ୍ରଥମ ଦିନରେ ଟୁରିଷ୍ଟ ଗାଇଡ୍ ମନୋରଞ୍ଜନ ଦାସଙ୍କ ସହିତ ଅଭୟାରଣ୍ୟର ବାଲିଆନାଳ ଫାଟକ ନିକଟରେ ପହଞ୍ଚିଥିଲେ । ବୁଲିବାକୁ ଆସିଥିବା ପ୍ରଥମ ପର୍ଯ୍ୟଟକ ଭାବେ ପଶ୍ଚିମବଙ୍ଗର ସୁଭାକର ଖାଟୁଆ, ଦ୍ୱିତୀୟ ପର୍ଯ୍ୟଟକ ଭାବେ ପଶ୍ଚିମବଙ୍ଗର ଇଦ୍ରଜିତ୍ ସେନ ଗୁପ୍ତା ଓ ତୃତୀୟ ପର୍ଯ୍ୟଟକ ଭାବେ ପଶ୍ଚିମବଙ୍ଗର ଅମିତାବ୍ ବାନାର୍ଜୀ ସହ ୯ଟି ଚାରି ଚକିଆ ଗାଡ଼ିରେ ମୋଟ୍ ୩୪ଜଣ ପର୍ଯ୍ୟଟକ ଆସିଥିବା ବେଳେ ସମସ୍ତଙ୍କୁ ବନବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ଚନ୍ଦନ ଲଗାଇ ଓ ମିଠା ଖୁଆଇ ସ୍ୱାଗତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ନୀଳଗିରି ଉପ-ଜିଲାପାଳ ମନ୍ଦରଧର ମହାଳିକ ଉପସ୍ଥିତ ରହି ଫିତା କାଟି ଥିବା ବେଳେ ବାଲେଶ୍ୱର ବନବିଭାଗର ଏସିଏଫ୍ ସୁଶ୍ରୀ ସସ୍ମିତା ସାହୁ ଗେଟ୍ ଖୋଲିଥିଲେ । କୁଲଡ଼ିହା ରେଞ୍ଜର ପ୍ରବୀର ମୁର୍ମୁ, ଫରେଷ୍ଟର ସୌମ୍ୟରଞ୍ଜନ ମାଝୀ, ବିଜୟ କୁମାର ସାହୁ, ଭାଗ୍ୟଶ୍ରୀ ଦ୍ୱିବେଦୀ, ଅଜୟ କୁମାର ଜେନାଙ୍କ ସହ ଫରେଷ୍ଟ ଗାର୍ଡ଼ ଓ ସବୁଜବାହିନୀ ପ୍ରମୁଖ ଉପସ୍ଥିତ ଥିଲେ ।
ଚଳିତବର୍ଷ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବଣ ପାହାଡ଼ ଘେରା ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡ଼ିହା ଅଭୟାରଣ୍ୟର ଗୋହିରାଭୋଳ ଠାରେ ଥିବା ନେଚର୍ସ ପାର୍କକୁ ଅଧିକ ଆକର୍ଷଣୀୟ କରାଯାଇଛି । ରାତ୍ରିରେ ରହଣୀ ନିମନ୍ତେ ଅନ୍ଲାଇନରେ ବୁକିଂ ଓ ୱେବ୍ସାଇଟ୍ www.ecotour.odisha ସହ “ରିସିଆ ପ୍ରକୃତି ନିବାସ”ରେ ୯ଟି ତମ୍ବୁଘର ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ୍, ୫ଟି ୱାଚ୍ ଟାୱାରରେ ଅତି ନିକଟରୁ କୁଲଡ଼ିହା ଅଭୟାରଣ୍ୟ ପଶୁପକ୍ଷୀଙ୍କୁ ଦେଖିବାର ବ୍ୟବସ୍ଥା ସହ ରୁଚିକର ଖାଦ୍ୟ ସହ ନେଚର୍ସ କ୍ୟାମ୍ପର ଅନୁଭୂତି ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିଛି । ଗତବର୍ଷ ରାଜସ୍ୱ ତୁଳନାରେ ଚଳିତବର୍ଷ ଅଧିକ ରାଜସ୍ୱ ଆୟ ହେବ ବୋଲି ବନ ବିଭାଗ ଆଶା ରଖିଛି ।
ସୂଚନା ଥାଉକି ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟ ପୂର୍ବାହ୍ନ ସାଢ଼େ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରହିଛି । ଭ୍ରମଣ ନିମନ୍ତେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ ହୋଇଛି । ଏଠାରେ ଜଣେ ବ୍ୟକ୍ତି ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ୩ହଜାର ୮୫୪ ଟଙ୍କା ଧାର୍ଯ୍ୟ କରାଯାଇଛି ।
