ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ବାଲେଶ୍ୱର କନିଷ୍ଠ ଓ ଉପ-କନିଷ୍ଠ ଦଳର ସଫଳତା; ଖେଳାଳିଙ୍କ ସହ ପ୍ରଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବାଲେଶ୍ୱର : ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ବାଲେଶ୍ୱର ଜିଲା କନିଷ୍ଠ ଓ ଉପ-କନିଷ୍ଠ ବର୍ଗର ବାଳିକା ଓ ବାଳକ ଖୋ ଖୋ ଟିମ୍କୁ ଜିଲା କ୍ରୀଡ଼ା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏନେଇ ସ୍ଥାନୀୟ ପରମିଟ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା କ୍ରୀଡା ସଂଘର କାର୍ଯ୍ୟକାରୀ ସଭାପତି ଅଭୟ ମହାପାତ୍ର ଓ ସାଧାରଣ ସମ୍ପାଦକ ଅଧିପ ଦାସ ଯୋଗଦେଇ ସଫଳତା ହାସଲ କରିଥିବା ଖେଳାଳୀଙ୍କୁ ପୁଷ୍ପ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
ଗତ ଅକ୍ଟୋବର ୧୯ରୁ ୨୨ ତାରିଖ ମଧ୍ୟରେ ପୁରୀର ତାଳବଣିଆ ଷ୍ଟାଡ଼ିଅମ୍ ଠାରେ ଆୟୋଜିତ ୧୨ତମ ରାଜ୍ୟସ୍ତରୀୟ କନିଷ୍ଠ ଓ ଉପ-କନିଷ୍ଠ ଖୋ ଖୋ ଚମ୍ପିଆନସିପ୍ରେ ବାଲେଶ୍ୱରର ଉଭୟ ବର୍ଗର ବାଳିକା ଓ ବାଳକ ଦଳ ଅଂଶଗ୍ରହଣ କରିଥିଲେ । ୪ଟି ଦଳର ମ୍ୟାନେଜର ଓ କୋଚ୍ ଭାବେ ମଳୟ ରଞ୍ଜନ ବେହେରା, ବବିତା ପାତ୍ର, ନୀଳାମ୍ବର ପଣ୍ଡା ଓ ଜ୍ୟୋତିରାଣୀ ଭୂୟାଁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁନି କିନି ପିଲାମାନେ ଚମ୍ପିଆନସିପ୍ରେ ଭାଗ ନେଇଥିଲେ । ପ୍ରଥମ ଥର ପାଇଁ ଅଂଶଗ୍ରହଣ କରି କନିଷ୍ଠ ବାଳିକା ଦଳ ତୃତୀୟ ସ୍ଥାନରେ ରହିଥିବା ବେଳେ ଉପ-କନିଷ୍ଠ ବାଳକ ଦଳ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଭୁବନେଶ୍ୱରର କିସ୍ ଦଳ ଠାରୁ ମାତ୍ର ୧ ପଏଣ୍ଟ ପଛରେ ରହି ରନର୍ସ ଅପ ଟ୍ରଫି ହାସଲ କରିଥିଲେ । ତେବେ ସୁଦୃଢ଼ ଭତ୍ତିଭୂମି ନଥିବା ସତ୍ତ୍ୱେ ବାଲେଶ୍ୱରର ଖୋ ଖୋ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ରାଜ୍ୟ ଓ ଜାତୀୟସ୍ତରରେ କୃତିତ୍ୱ କରିବା କେବଳ କୋଚ ମଳୟ ରଞ୍ଜନ ବେହେରାଙ୍କ ପାଇଁ ସମ୍ଭବ ହୋଇ ପାରିଛି ବୋଲି ଜିଲା କ୍ରୀଡ଼ାସଂଘର ସାଧାରଣ ସମ୍ପାଦକ ଶ୍ରୀ ଦାସ ମତ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ କ୍ରୀଡ଼ା ସଂଘ ପକ୍ଷରୁ ଉଦୀୟମାନ ଖେଳାଳିଙ୍କୁ ରାଜ୍ୟସ୍ତରୀୟ ତଥା ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ ନିମନ୍ତେ ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଦାସ କହିଥିଲେ । ତେବେ ରାଜ୍ୟର ଅନ୍ୟାନ୍ୟ ଜିଲା ତୁଳନାରେ ବାଲେଶ୍ୱରରେ ଖୋ ଖୋ ଖେଳ ପାଇଁ ସୁଦୃଢ଼ ଭିତ୍ତିଭୂମି ନଥିବା ସତ୍ତ୍ୱେ ଖେଳାଳୀମାନେ ନିଜସ୍ୱ ଉଦ୍ୟମ ଓ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ପାଇପାରିଛନ୍ତି ବୋଲି କୋଚ୍ ଶ୍ରୀ ବେହେରା ସମ୍ବର୍ଦ୍ଧିତ ଅବସରରେ କହିଛନ୍ତି । ଆଗାମୀ ଦିନରେ ମଧ୍ୟ ବାଲେଶ୍ୱର ଜିଲା ଖୋ ଖୋ ଖେଳରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । କ୍ରୀଡ଼ା ସଂଘର ଖୋ-ଖୋ ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ଲେଙ୍କା, ପ୍ରଦୀପ କୁମାର ଦାସ, ଜଗଦୀଶ ବେହେରା, ସୁଜୟ କୁମାର ଆଚାର୍ଯ୍ୟ, ଅମର କୁମାର ମହାନ୍ତି, ପଦ୍ମଲୋଚନ ଲେଙ୍କା, ନିମାଇ ଚରଣ ରାଉତରାୟ, ଚିତରଞ୍ଜନ ପାଶା, ଦିଲ୍ଲୀପ ଜେନା ପ୍ରମୁଖ କ୍ରୀଡ଼ା ସଂଘର କର୍ମକର୍ତ୍ତାମାନେ ଯୋଗଦେଇ କୃତୀ ଖୋ ଖୋ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ ।
