ବାଲେଶ୍ୱର : ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଝାଡ଼ଖଣ୍ଡୀ ହାତୀ; ଭାଙ୍ଗିଲେ ଘର, ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର
ବାଲେଶ୍ୱର : ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଝାଡ଼ଖଣ୍ଡୀ ହାତୀ । ଜଙ୍ଗଲରୁ ବାହାରି ସହର ମଧ୍ୟରେ ପ୍ରବେଶ କରି ଉପଦ୍ରବ ଜାରି ରଖିଛନ୍ତି । ଦୁଇ ଝାଡ଼ଖଣ୍ଡୀ ଦନ୍ତା ହାତୀ ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସି ଅନ୍ତର୍ଗତ ଅଞ୍ଚଳରେ ପଶି ଲୋକମାନଙ୍କ ଘର ଭାଙ୍ଗିବା ସହ ଖେଳାଇଲେ ଆତଙ୍କ । ହାତୀଙ୍କ ଆକ୍ରମଣ ଯୋଗୁଁ ଅଳ୍ପକେ ଦୁଇ ପରିବାରର ଲୋକମାନେ ମୃତ୍ୟୁ ମୁଖରୁ ବଞ୍ଚିଥିବାର ଜଣାପଡ଼ିଛି ।
ସୂଚନା ଯେ, ଆଜକୁ ପ୍ରାୟ ୧୫ ଦିନରୁ ଉର୍ଦ୍ଧ୍ୱ ଝାଡ଼ଖଣ୍ଡରୁ ଆସିଥିବା ଦୁଇଟି ଦନ୍ତା ହାତୀ ତିନିକୋଷିଆ ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି । ଏଥିସହ ନୀଳଗିରିର ବିଭିନ୍ନ ସ୍ଥାନରେ ବ୍ୟାପକ ଉପଦ୍ରବ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେର ଗତ ରବିବାର ମଧ୍ୟରାତ୍ରରେ କୁଲଡ଼ିହା ଅଭୟାରଣ୍ୟର ପାଦ ଦେଶରେ ଥିବା ନୀଳଗିରି ଏନ୍ଏସି ଅଧୀନ ୩ ନମ୍ବର ୱାର୍ଡ଼ ଚତୁରିସାହି ଗ୍ରାମରେ ଦୁଇଟି ଦନ୍ତା ପଶି ଘର ଭାଙ୍ଗିବା ସହ ଆତଙ୍କ ଖେଳାଇଥିଲେ । ବୀରେନ୍ଦ୍ର ସିଂଙ୍କ ଘର ଭାଙ୍ଗିବା ସହ ଭାତ ହାଣ୍ଡି ଓ ଆସବାବପତ୍ର ନଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଘର ଭିତରେ ପରିବାର ଶୋଇଥିବା ବେଳେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେହିପରି କାହ୍ନୁ ସିଂଙ୍କ ବାଡ଼ ଭାଙ୍ଗି ଆସବାପତ୍ର ନଷ୍ଟ ମଧ୍ୟ କରିଛନ୍ତି । ମୋହନ ସିଂଙ୍କ ପରିବାର ମଧ୍ୟ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିସହ ରାତି ସାରା ଗାଁଲୋକେ ଉଜାଗର ରହି ହାତୀଙ୍କ ଆତଙ୍କରୁ ପରିବାରଙ୍କୁ ସୁରକ୍ଷା ଦେବାରେ ଲାଗି ପଡ଼ିଥିଲେ । ତେବେ ବନ ବିଭାଗ ଆସି ଲୋକଙ୍କ ସହାୟତାରେ ହାତୀ ଘଉଡ଼ାଇ ଥିବା ବେଳେ ଦୁଇଟି ହାତୀ କୁଲଡ଼ିହା ଅଭୟାରଣ୍ୟ ସୀମାନ୍ତ ଜଙ୍ଗଲରେ ରହିଛନ୍ତି । ତେବେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ସହ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ବନ ବିଭାଗ ଅଧିକ ପେଟ୍ରୋଲିଂ କରିବାକୁ ଦାବି କରିଛନ୍ତି ।
