ବାଲେଶ୍ୱର : ଜାମକୁଣ୍ଡା-କୁହ୍ଲାଚଡ଼ ପନ୍ତେଇ ଫେରି ଘାଟ ରାସ୍ତା ମରଣଯନ୍ତା
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଜାମଜୁଣ୍ଡା ଲକ ଠାରୁ କୁହ୍ଲାଚଡ଼ ପନ୍ତେଇ ଫେରି ଘାଟ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଅସରାଏ ବର୍ଷା ହେଲେ ରାସ୍ତା ପୁରାପୁରି କାଦୁଅ ପଚପଚ ହୋଇ ଯାଉଛି । ପ୍ରତିବାଦ ସ୍ୱର କାହାକୁ ଶୁଣା ଯାଉନି । ଲୋକ ପ୍ରତିନିଧି ଏବଂ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ।
ଜାମକୁଣ୍ଡା ପଞ୍ଚାୟତର କୁହ୍ଲାଚଡ଼ ଗ୍ରାମରୁ ପନ୍ତେଇ ଫେରି ଘାଟ ଯାଏ ରାସ୍ତା ପୁରାପୁରି ମାଟି ରାସ୍ତା । କେଉଁ କାଳରୁ ମୋରାମ ପଡ଼ିଥିଲା ତାହା ମାଟିରେ ମିଶି ଗଲାଣି । ରାସ୍ତାଟି ଏବେ ସମୂର୍ଣ୍ଣ ଭାବେ ଜାମକୁଣ୍ଡା ପଞ୍ଚାୟତ ଅଧୀନରେ ରହିଛି । ଜାମକୁଣ୍ଡା ପଞ୍ଚାୟତକୁ ପନ୍ତେଇ ଘାଟରୁ ବର୍ଷକୁ ୬ ରୁ ୭ ଲକ୍ଷ ଟଙ୍କା ରାଜସ୍ୱ ମିଳୁଛି । ତଥାପି ଏ ରାସ୍ତାରେ ମୁଠାଏ ମୋରମ ପଡ଼ି ପାରୁନି, ଦୁଃଖ ଓ ପରିତାପର ବିଷୟ ହେଉଛି ଯେ ଏହି ରାସ୍ତାରେ ରାତି ପାହିଲେ ହଜାର ହଜାର ଲୋକେ ପନ୍ତେଇ ଫେରି ଘାଟରେ ପାର ହୋଇ ଭୋଗରାଇ ଓ ପଶ୍ଚିମବଙ୍ଗ ଦୀଘା ଓ ଅନ୍ୟାନ୍ୟ ସ୍ଥାନକୁ ଯାଇଥାଆନ୍ତି । ସେହିପରି ଭୋଗରାଇ ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ବାଲିଆପାଳ ଓ ବାଲେଶ୍ୱରକୁ ଯାଇଥାଆନ୍ତି । ହେଲେ ରାସ୍ତା କଥା କେହି ଚିନ୍ତାକରୁ ନାହାନ୍ତି ବୋଲି ଅନିଲ କୁମାର ପାତ୍ର, ମନ୍ମଥ ବେହେରା, ମୂଷା ଜେନା, କାଳିଚରଣ ବେହେରା, ଭଗବାନ ଦଳାଇ ପ୍ରମୁଖ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ରାସ୍ତା ମରାମତି ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ସେମାନେ କହିଛନ୍ତି ।
