ବାଲେଶ୍ୱର : ପ୍ରବଳ ଜନସମାଗମ ଓ ଭକ୍ତଙ୍କ ଭିଡ଼ରେ ଚାଲିଛି ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ଜାଗର ଯାତ୍ରା
ନୀଳଗିରି : ଦେବଦେବ ମହାଦେବ ବାବା ଭୋଳା ଶଙ୍କରଙ୍କ ପବିତ୍ର ଜାଗର ଯାତ୍ରା ବା ମହାଶିବରାତ୍ରି ଉପଲକ୍ଷେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ମହା ଆଡ଼ମ୍ବରରେ ଚାଲିଛି ପୂଜା ଆରାଧନା । ଚଳଚଞ୍ଚଳ ହୋଇଉଠିଛି ଶୈବକ୍ଷେତ୍ର । ଦେବଗିରି ପାହାଡ଼ ଉପରେ କୁଳୁକୁଳୁ ନାଦରେ ଚିରସ୍ରୋତା ଝରଣା ଜଳ ପଥର କୋରଡ଼ରେ ଥିବା ପଞ୍ଚଲିଙ୍ଗକୁ ସ୍ପର୍ଶକରି ବହିଯାଉଥିବା ବେଳେ ବହୁ କିମ୍ବଦନ୍ତୀ ବର୍ଣ୍ଣିତ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ମହାଶିବରାତ୍ରି ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଶୁକ୍ରବାର ଭୋର ୪ଟା ୧୫ରେ ବାବାଙ୍କ ମଙ୍ଗଳ ଆଳତି ପରେ ୫ଟାରେ ନୀତିକାନ୍ତି ପୂଜା ସମାପନ ହୋଇଥିଲା । ସକାଳ ୬ଟାରେ ଭକ୍ତମାନଙ୍କ ପାଇଁ ସାଧାରଣ ଦର୍ଶନ ପାଇଁ ଖୋଲାଯାଇଥିଲା । ହରହର ମହାଦେବ, ଓଁ ନମଃ ଶିବାୟ ଧ୍ୱନିରେ ପୀଠ ଫାଟି ପଡୁଥିବା ବେଳେ ବହୁ ଦୂରଦୁରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାନେ ବାବାଙ୍କର ପୂଜାଅର୍ଚ୍ଚନା କରି ପଞ୍ଚଲିଙ୍ଗକୁ ସ୍ପର୍ଶ କରି ଆଶିଷ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ପଞ୍ଚଲିଙ୍ଗେଶ୍ୱର କମିଟି ତରଫରୁ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ପୀଠର ସୌନ୍ଦର୍ଯ୍ୟ କରଣ ପାଇଁ ଉଜ୍ଜ୍ୱଳ ଆଲୋକ, ପାନୀୟଜଳ ବ୍ୟବସ୍ଥା କରାଯାଇଥିବା ବେଳେ ପୀଠକୁ ସାଫସଫେଇ କରାଯାଇଛି । ସନ୍ଧ୍ୟା ୬ଟା ୧୫ମିନିଟରେ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ପରେ ଶ୍ରଦ୍ଧାଳୁମାନେ ଦୀପ ପ୍ରଜ୍ୱଳନ କରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଭୋର ୪ଟା ୨ମିନିଟ ସମୟରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ବାବା ପଞ୍ଚଲିଙ୍ଗେଶ୍ୱର ପୀଠ ବ୍ୟତୀତ ନୀଳଗିରି ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଥିବା ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ମାନେ ଦିନ ତମାମ ପୂଜାର୍ଚ୍ଚନା କରିଥିବା ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ଥିବାର ସୂଚନା ମିଳିଛି ।
