ବାଲେଶ୍ୱର : ଆନ୍ତଃ ମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ଦ୍ୱାରା ୨୦୨୩-୨୪ ଆନ୍ତଃ ମହାବିଦ୍ୟାଳୟ ଫୁଟବଲ୍ (ପୁରୁଷ) ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟରେ ୪ଟି ଦଳ ଫକୀର ମୋହନ ମେଡିକାଲ କଲେଜ ବାଲେଶ୍ୱର, ସିଦ୍ଧେଶ୍ୱର ଡିଗ୍ରୀ କଲେଜ ଅମର୍ଦା ରୋଡ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱର ଓ ବାଲିଆପାଳ କଲେଜ ଅଫ ଫିଜିକାଲ ଏଜୁକେସନ ବାଲିଆପାଳ ଅଂଶଗ୍ରହଣ କରିଥିଲେ । ଦିନିକିଆ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଫକୀରମୋହନ ମୋହନ ବିଶ୍ୱବିଦ୍ୟାଳୟ ବିଜେତା ହୋଇଥିବା ବେଳେ ସିଦ୍ଧେଶ୍ୱର ଡିଗ୍ରୀ କଲେଜ ଅମର୍ଦା ରୋଡ ଉପ-ବିଜେତା (ରନର୍ସଅପ୍) ହୋଇଥିଲେ ।
ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ. ଭାସ୍କର ବେହେରା ଏବଂ କ୍ରୀଡ଼ା କମିଟି ର ଭାଇସ-ପ୍ରେସିଡେଣ୍ଟ ଡ. ସଚ୍ଚିଦାନନ୍ଦ ସା ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, ନିର୍ଦ୍ଦେଶକ ଛାତ୍ର କଲ୍ୟାଣ ଡ. ନିହାର ରଞ୍ଜନ ରାଉତ, ବିକାଶ ଅଧିକାରୀ ଡ. ପବିତ୍ର ମୋହନ ନାୟକ, ସହକାରୀ ନିର୍ଦ୍ଦେଶକ କ୍ରୀଡ଼ା ପରିଷଦ ଡ. ଅମିତ କୁମାର ଶର୍ମା, ଶାରୀରିକ ଶିକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବିଶୋଇ, ପର୍ଯ୍ୟବେକ୍ଷକ ତଥା ଚୟନକର୍ତ୍ତା ବାଇଧର ମହାକୁଡ଼ଙ୍କ ସମେତ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତାଗଣ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ଫକୀରମୋହନ ମେଡିକାଲ କଲେଜ ଓ ସିଦ୍ଧେଶ୍ୱର ଡିଗ୍ରୀ କଲେଜ ଅମର୍ଦା ରୋଡ ମଧ୍ୟରେ ଖେଳା ଯାଇଥିଲା । ସିଦ୍ଧେଶ୍ୱର ଡିଗ୍ରୀ କଲେଜ ମ୍ୟାଚ୍ ସ୍କୋରକୁ ୩-୦ ରେ ଜିତି ଫାଇନାଲରେ ପ୍ରବେଶ କରିବାର ଯୋଗ୍ୟତା ଅର୍ଜନ କରିଥିଲା । ଏହାପରେ ୨ୟ ସେମିଫାଇନାଲ ମ୍ୟାଚ୍ ବାଲିଆପାଳ କଲେଜ ଅଫ୍ ଫିଜିକାଲ୍ ଏଜୁକେସନ୍ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ ସ୍କୋରକୁ ୨-୦ ରେ ଜିତି ଫକୀରମୋହନ ବିଶ୍ୱବିଦ୍ୟାଳୟ ଦଳ ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା । ଏହାପରେ ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପେନାଲ୍ଟି ସୁଟ୍ରେ ଜିତି ଚାମ୍ପିଅନ୍ ଟାଇଟଲ ହାସଲ କରିଥିଲା ।
