ବାଲେଶ୍ୱର : ୨୦୨୨ରେ ସଡ଼କ ଦୁର୍ଘଟଣା ୫% ଓ ମୃତ୍ୟୁ ସଂଖ୍ୟା ୭% ହ୍ରାସ
ବାଲେଶ୍ୱର : ବାଲେଶ୍ୱର ଜିଲାରେ କମିଲା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯିବା ସହିତ ସଚେତନତା ମୂଳକ କାର୍ଯ୍ୟକ୍ରମ ଜାରି ରହିବା ଫଳରେ ସମ୍ପ୍ରତି ଜିଲାରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି । ଗତ ୨୦୨୧ ମସିହାରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଯାହା ଥିଲା,୨୦୨୨ ମସିହାରେ ତାହା ୫ ଓ ୭% ହ୍ରାସ ପାଇଛି । କେବଳ ଗୁରୁତର ଆହତଙ୍କ ସଂଖ୍ୟା ପୂର୍ବ ବର୍ଷ ଠାରୁ ଚଳିତ ବର୍ଷ ଅଧିକ ଥିବା ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୂତ୍ରରୁ ଜାଣିବାକୁ ମିଳିଛି ।
ମିଳିଥିବା ତଥ୍ୟାନୁଯାୟୀ ଗତ ୨୦୨୧ମସିହାର ଜାନୁଆରୀରୁ ଡିସେମ୍ବର ମଧ୍ୟରେ ଜିଲାରେ ୩୫୦ଟି ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ସଡକ ଦୁର୍ଘଟଣାରେ ୧୮୩ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିବା ସହିତ ୧୪୭ ଜଣ ବ୍ୟକ୍ତି ଗୁରୁତର ଆହତ ଏବଂ ୪୮ ଜଣ ସାମାନ୍ୟ ଆହତ ହେଇଥିବା ଜଣାଯାଇଛି । ମାତ୍ର ୨୦୨୨ ମସିହା ଜାନୁଆରୀରୁ ନଭେମ୍ବର ୨୫ ତାରିଖ ମଧ୍ୟରେ ଜିଲାର ୩୩୨ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ୧୭୦ ଜଣ ବ୍ୟକ୍ତି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଏହାବାଦ୍ ସଡକ ଦୁର୍ଘଟଣାରେ ୧୭୯ ଜଣ ଗୁରୁତର ଏବଂ ୨୨ଜଣ ସାମାନ୍ୟ ଆହତ ହେଇଥିବା ଜଣାଯାଇଛି । ତେବେ ୨୦୨୧ ମସିହାରେ ମୋଟ ସଡ଼କ ଦୁର୍ଘଟଣା ତୁଳନାରେ ୨୦୨୨ ମସିହାରେ ୫% ହ୍ରାସ ପାଇଛି । ସେହିଭଳି ମୋଟ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ତୁଳନାରେ ୨୦୨୨ ମସିହାରେ ୭% ହ୍ରାସ ପାଇଥିବା ଜଣାଯାଇଛି । ମାତ୍ର ସଡକ ଦୁର୍ଘଟଣାରେ ଗୁରୁତର ଆହତଙ୍କ ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ରହିଛି ।
ତେବେ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଜାରି ରଖାଯିବା ଏବଂ ସରକାରଙ୍କ ରାସ୍ତା ନିର୍ମାଣ ବିଭାଗ ଗୁଡିକ ତରଫରୁ ରାସ୍ତାକୁ ସଠିକ ସମୟରେ ମରାମତି କରାଯିବା କାରଣରୁ, ପୂର୍ବବର୍ଷ ଅନୁସାରେ ଚଳିତବର୍ଷ ସଡକ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଥିବା ଜଣାଯାଇଛି । ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୨୦୨୨ ମସିହାରେ ଦ୍ରୁତ ଗତିରେ ବାଇକ କିମ୍ବା ଗାଡି ଚଳାଇ ଯାଉଥିବା ଅଭିଯୋଗରେ୨୦୬୨ଟି କେଶ କରାଯିବା ସହିତ ୭୪୯ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଅସ୍ଥାୟୀ ରୂପେ ରଦ୍ଦ କରାଯାଇଛି । ଗାଡି ଓଭର ଲୋଡିଙ୍ଗ କରି ନେଉଥିବା ଅଭିଯୋଗରେ ୮୩ଟି ମାମଲା ରୁଜୁ କରାଯାଇ ୪୯ ଜଣ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ଅସ୍ଥାୟୀ ରୂପେ ରଦ୍ଦ କରାଯାଇଛି । ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରି ନେଉଥିବା ଅଭିଯୋଗରେ ୧୨୬ଟି ମାମଲା ରୁଜୁ କରାଯାଇ ୬୯ଜଣଙ୍କ ଲାଇସେନ୍ସ ଅସ୍ଥାୟୀ ରଦ୍ଦ କରାଯାଇଛି । ବାଇକ୍ କିମ୍ବା ଗାଡ଼ି ଚଳାଇ ଯାଉଥିବା ବେଳେ ମୋବାଇଲ ବ୍ୟବହାର କରିଥିବା ଅଭିଯୋଗରେ ୮୦ଟି ମାମଲା ରୁଜୁ କରାଯାଇ ୨୩ଜଣଙ୍କ ଲାଇସେନ୍ସ ଅସ୍ଥାୟୀ ରୂପେ ରଦ୍ଦ କରାଯାଇଛି । ନିଶାଗ୍ରସ୍ତ ଅବସ୍ଥାରେ ବାଇକ କିମ୍ବା ଗାଡି ଚଳାଉ ଥିବା ଅଭିଯୋଗରେ ୨୦୨ଟି ମାମଲା ରୁଜୁ କରାଯାଇ ୧୨୪ଜଣଙ୍କ ଲାଇସେନ୍ସ ଅସ୍ଥାୟୀ ରଦ୍ଦ କରାଯାଇଛି । ବିନା ହେଲମେଟ୍ରେ ବାଇକ ଚଳାଇ ଯାଉଥିବା ଅଭିଯୋଗରେ ୩୧୮୧ ଟି ମାମଲା ରୁଜୁ କରାଯାଇ ୫୮୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ଅସ୍ଥାୟୀ ଭାବେ ରଦ୍ଦ କରାଯାଇଛି । ଏହିଭଳି ମୋଟ ୫୭୩୪ ଟି ମାମଲା ରୁଜୁ କରାଯାଇ ଥିଲା ବେଳେ ୧୫୯୬ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ଅସ୍ଥାୟୀ ରଦ୍ଦ କରାଯାଇ ଥିବା ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରା କହିଛନ୍ତି ।
