ବାଲେଶ୍ୱର ଜିଲାରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ସଚେତନା ଓ ସତର୍କତା କାର୍ଯ୍ୟକ୍ରମ ପାଇଁ ଦାବିପତ୍ର
ବାଲେଶ୍ୱର : ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରେ ଲୋକେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଦିନ ରୋଗୀ ସଂଖ୍ୟା ବୃଦ୍ଧିପାଉଛି । ଏଥିପାଇଁ ସହରାଞ୍ଚଳରେ କିମ୍ବା ପଞ୍ଚାୟତସ୍ତରରେ ଆବଶ୍ୟକୀୟ ସଚେତନା ଓ ସତର୍କତା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗ୍ରହଣ କରାଯାଉନଥିବାରୁ ମଙ୍ଗଳବାର ପୂର୍ବାହ୍ନରେ ସିଭିଲ୍ ସୋସାଇଟି ପକ୍ଷରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ସୁଧାକର ନାୟକଙ୍କୁ ସାକ୍ଷାତ କରି ସମସ୍ୟା ଗୁରୁତର ହେବା ପୂର୍ବରୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଜିଲାପାଳ, ଫକୀରମୋହନ ମେଡିକାଲ୍ କଲେଜର ଅଧ୍ୟକ୍ଷ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ବାଲେଶ୍ୱର ଉପ-ଜିଲାପାଳ ଓ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଲିଖିତଭାବେ ଏଥିପାଇଁ ଦାବିପତ୍ର ଦିଆଯାଇଛି । ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ସଦସ୍ୟ ସୀତାରାମ ପ୍ରଧାନ, ଯୋଗେଶ ଚନ୍ଦ୍ର ପ୍ରଧାନ, ପରମାନନ୍ଦ ପଣ୍ଡା, ପ୍ରଦୀପ ସାହୁ, ହ୍ରିତିକ୍ ନାୟକ, ସୁରମାରାଣୀ ମିସ୍ତ୍ରୀ ଓ ବସନ୍ତ କୁମାର ମହାନ୍ତି ପ୍ରମୁଖ ଏହି ସାକ୍ଷାତକାରବେଳେ ଉପସ୍ଥିତ ଥିଲେ ।
