ବାଲେଶ୍ୱର : ଫକୀରମୋହନ ବିଶ୍ବବିଦ୍ୟାଳୟରେ ବିଶ୍ଵ ଉଦ୍ୟୋଗୀ ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ବବିଦ୍ୟାଳୟରେ ବିଶ୍ଵ ଉଦ୍ୟୋଗୀ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଉଦ୍ୟୋଗୀ ହେବା ଗୋଟିଏ ସମସ୍ତଙ୍କ ପାଇଁ ସୁଅବସର ଏବଂ ସମସ୍ତେ ଏଠି ଜଣେ ଜଣେ ଉଦ୍ୟୋଗୀ ନିଜର କାର୍ଯ୍ୟଦକ୍ଷତା ହିସାବରେ ସମସ୍ତେ ଉଦ୍ୟୋଗୀ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, ବିଶ୍ଵବିଦ୍ୟାଳୟର ବ୍ୟବସାୟିକ ପରିଚାଳନା ବିଭାଗର ମୁଖ୍ୟ ଡ. ପଦ୍ମଲିତା ରାଉତରାୟ, ଫକୀରମୋହନ ବିଶ୍ବବିଦ୍ୟାଳୟର ଟେକ୍ନୋଲୋଜି ବିଜନେସ ଇନକୁବେଟର (ଟିବିଆଇ)ର ସଂଯୋଜକ ଡ. ପଙ୍କଜ କୁମାର ପାଢ଼ୀ ଏବଂ କିଟ୍ ଟିବିଆଇର ପରାମର୍ଶଦାତା ଡ. ନମ୍ରତା ମିଶ୍ର ଆଭାଷୀ ମାଧ୍ୟମରେ କାର୍ଯକ୍ରମରେ ଯୋଗଦେଇଥିଲେ। ଯୁବଉଦ୍ୟୋଗୀ ଓରିପଲ ପ୍ରାଇଭେଟ୍ ଲିମିଟେଡର ବ୍ୟବସ୍ଥାପକୀୟ ସଞ୍ଚାଳକ ଆଦିତ୍ୟ ବେହେରା ମଞ୍ଚରେ ଉପସ୍ଥିତ ରହି ଗୋଟିଏ ମଣିଷର ଆବଶ୍ୟକତାହିଁ ତାକୁ ଉଦ୍ୟୋଗୀ କରିଥାଏ ବୋଲି ପ୍ରକାଶ କରିଥିଲେ। ସଭାକୁ ବିଶ୍ଵବିଦ୍ୟାଳୟ ଟିବିଆଇର ମୁଖ୍ୟ ପରିଚାଳନା ଅଧିକାରୀ ସୁଭେନ୍ଦୁ ନାୟକ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
