ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍ ‘ଏ’ ଗ୍ରେଡ୍ ମାନ୍ୟତା, ମିଳିଲା ୩.୧୮ ସିଜିପିଏ
ଭୁବନେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ମିଳିଲା ଜାତୀୟ ମୂଲ୍ୟାୟନ ଓ ଅଧିସ୍ୱୀକୃତି ପରିଷଦ (ନାକ୍) ‘ଏ’ ଗ୍ରେଡ୍ ମାନ୍ୟତା । ସିଜିପିଏରେ ଫକୀରମୋହନ ଓଡ଼ିଶାର ଅନ୍ୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇଛି । ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ୩.୧୮ ସିଜିପିଏ ମିଳିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୩.୧୬ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ୩.୧ ସିଜିପିଏ ମିଳିଛି । ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ‘ବି’ ଗ୍ରେଡ୍ ନାକ୍ ମାନ୍ୟତା ମିଳିଛି ।
ଗତ ୧୨ ତାରିଖରେ ନାକ୍ ଟିମ୍ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଆସିଥିଲେ । ଗସ୍ତ ପରେ ଟିମ୍ ଗୁଣାତ୍ମକ ଶିକ୍ଷାଦାନ ପ୍ରଣାଳୀ ଓ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିପାରିଥିବାରୁ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍ ‘ଏ’ ଗ୍ରେଡ୍ ମାନ୍ୟତା ପ୍ରଦାନ କରିଛି ।
ତେବେ ତିନିଦିନ ଧରି ହୋଇଥିବା ମୂଲ୍ୟାୟନ ଓ ଅଧିସ୍ୱୀକୃତି ପ୍ରକ୍ରିୟାରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୬ ଜଣ ପ୍ରାଧ୍ୟାପକ ଯୋଗ ଦେଇଥିଲେ । ପ୍ରଫେସର ବି.ପି ସଞ୍ଜୟଙ୍କ ଅଧ୍ୟକ୍ଷତାରେ ପ୍ରଫେସର ମହମ୍ମଦ ତାରିକ୍, ପ୍ରଫେସର କ୍ରଷ୍ଣକୁମାର ରଙ୍ଗାରଜୁଲୁ, ପ୍ରଫେସର ଅର୍ଦ୍ଧେନ୍ଦୁ ଶେଖର ପାତ୍ର, ପ୍ରଫେସର ଭବେଶ ଚନ୍ଦ୍ର ଗୋସ୍ୱାମୀ, ପ୍ରଫେସର ରେଣୁ ଯାଟନା ପ୍ରମୁଖ ତଦାରଖ କରିଥିଲେ । ୭ଟି ବିଭାଗରେ ମୂଲ୍ୟାଙ୍କନ ହୋଇଥିବା ବେଳେ ସବୁଥିରେ ବିଶ୍ୱବିଦ୍ୟାଳୟ ଉନ୍ନତ ପ୍ରଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଛି ।
