ବାଲେଶ୍ୱର : କଣ୍ଟେନରକୁ ପିଟିଲା ଡ଼ମ୍ପର, ଡ୍ରାଇଭର ମୃତ
ବସ୍ତା : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ କଟିପୋଲ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା ପାର୍ଶ୍ୱକୁ ଛିଡ଼ା ହୋଇଥିବା ଏକ କଣ୍ଟେନର ପଛ ପଟୁ ଭାରସାମ୍ୟ ହରାଇ ଏକ ଡମ୍ପର ଧକ୍କା ଦେବାରୁ ଘଟଣା ସ୍ଥଳରେ ଡମ୍ପର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।
ଘଟଣାରୁ ପ୍ରକାଶ ସକାଳେ ଏଏସ୍୦୧ଏନ୍ସି-୦୯୮୯ ନମ୍ବର ବିଶିଷ୍ଟ ଡମ୍ପରଟି ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯିବା ସମୟରେ କଟିପୋଲ ଠାରେ ରାସ୍ତା ପାର୍ଶ୍ୱକୁ ଛିଡ଼ା ହୋଇଥିବା ଏମ୍ଏଚ୍ ୧୨ଟିଭି ୬୦୨୦ କଣ୍ଟେନରର ପଛକୁ ଧକ୍କା ଦେଇଥିଲା । ଫଳରେ ଡ଼ମ୍ପରର କ୍ୟାବିନ ଅଂଶଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯିବାରୁ ଡ୍ରାଇଭର ଜଣକ କ୍ୟାବିନରେ ଚାପି ହୋଇ ରହିଯାଇଥିଲେ । ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ପହଞ୍ôଚ ହାଇଡ୍ରୋଲିକ କଟର ମେସିନ ସହାୟତାରେ କ୍ୟାବିନରୁ ଡ୍ରାଇଭରକୁ ଉଦ୍ଧାର କରିଥିଲେ । ଜାତୀୟ ରାଜପଥ ଆମ୍ବୁଲାନ୍ସରେ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ ଡ୍ରାଇଭର ହେଲେ ବାଙ୍ଗାଲୁରୁ ଅଞ୍ଚଳର ରମେଶ ସିଂ । ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୋଲିସ ସମେତ ବସ୍ତା ଥାନା ପୋଲିସ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ ଡମ୍ପରଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।
