ବାଲେଶ୍ୱର : ନୀଳଗିରିକୁ ସ୍ୱତନ୍ତ୍ର ଜିଲା ଦାବି, ୭ରେ ବାଲେଶ୍ୱର ପଦଯାତ୍ରା
ନୀଳଗିରି : ନୀଳଗିରିକୁ ସ୍ୱତନ୍ତ୍ର ଜିଲା ଦାବୀରେ ଆସନ୍ତା ୭ତାରିଖରେ ନୀଳଗିରି ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଶତାଧିକ ସଂଖ୍ୟାରେ ନୀଳଗିରିବାସୀ ପଦଯାତ୍ରାରେ ଯିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପୂର୍ବରୁ ନୀଳଗିରିକୁ ସ୍ୱତନ୍ତ୍ର ଜିଲା ଘୋଷଣା ଦାବିରେ ବିଭିନ୍ନ ସମୟରେ ସରକାରଙ୍କ ଠାରେ ବିଭିନ୍ନ ଫରମରେ ଦାବି ହୋଇଆସୁଥିଲା ବେଳେ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି । ଯେତେବେଳେ କି ପଦ୍ମପୁର ଭଳି ଏକ ଛୋଟିଆ ନିର୍ବାଚନ ମଣ୍ଡଳୀକୁ ଜିଲା କରିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି । ପରନ୍ତୁ ଆଦିବାସୀ ବହୁଳ, ଖଣିଜ ସମ୍ପଦରେ ଭରପୁର, ଜନସଂଖ୍ୟା ଏବଂ ସ୍ୱାଧୀନ ଭାରତରେ ରାଜତନ୍ତ୍ରର ବିଲୋପ କରି ପ୍ରଥମ ଗଡ଼ଜାତ ରାଜ୍ୟ ଭାବେ ସ୍ୱାଧୀନ ଭାରତରେ ମିଶ୍ରଣ ସମୟରେ ନୀଳଗିରିକୁ ସ୍ୱତନ୍ତ୍ର ଅଧିକାର ମିଳିବ ବୋଲି ଚୁକ୍ତି ହୋଇଥିଲା । ଚୁକ୍ତି ଅନୁଯାୟୀ ନୀଳଗିରିକୁ ଜିଲା ମାନ୍ୟତା ନମିଳିବା ସ୍ୱାଭିମାନୀ ନୀଳଗିରି ବାସୀଙ୍କୁ ମର୍ମାହତ କରିଛି ।
ଏହି ପରିପ୍ରେକ୍ଷୀରେ ନୀଳଗିରି ଜିଲା କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତାବ ମୂଳେ ଆସନ୍ତା ୭ତାରିଖ ମଙ୍ଗଳବାର ପୂର୍ବାହ୍ନ ୮ଟା ସମୟରେ ନୀଳଗିରି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ବିରାଟ ପଟୁଆରରେ ପଦଯାତ୍ରୀମାନେ ବାଲେଶ୍ୱର ଅଭିମୁଖେ ବାହାରିବେ । ସେଠାରେ ଜିଲାପାଳଙ୍କୁ ସାକ୍ଷାତ କରି ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବ । ଏନେଇ ନୀଳଗିରି ଜିଲା କ୍ରିୟାନୁଷ୍ଠାନ କମିଟିର ଆବାହକ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଏକ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି । ଏଥିସହିତ ସ୍ୱାଭିମାନୀ ନୀଳଗିରିବାସୀ ତାର ହକ୍ ପାଇଁ ଉକ୍ତ ଦିବସ ଓ ନିର୍ଦ୍ଦିଷ୍ଟ ସମୟରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ପଦଯାତ୍ରା ଦଳରେ ସାମିଲ ହେବାକୁ ନିବେଦନ କରିଛନ୍ତି ।
