ବାଲେଶ୍ୱର : ଜିଲାସ୍ତରୀୟ ବିଶ୍ୱ ଏଡସ୍ ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ କକ୍ଷ ଆନୁକୂଲ୍ୟରେ ବୁଧବାର ଜିଲାସ୍ତରୀୟ ବିଶ୍ୱ ଏଡସ୍ ଦିବସ-୨୦୨୧ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଡ୍ସର ପ୍ରତିକାର ଓ ଚଳିତ ବର୍ଷର ବିଷୟ “ଅନ୍ତ ଅସମାନତାର, ଅନ୍ତ ଏଡସ୍, ଅନ୍ତ ମହାମାରୀର” ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଡସ୍ ରୋଗର ଚିକିତ୍ସା, ପ୍ରତିକାର ଏବଂ ସଚେତନତା ସୃଷ୍ଟି ଉପରେ ଡା. ଜଗଦ୍ଦେବ ଗୁରୁତ୍ୱାରୋପ କରିଥିଲେ ।
ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ଭୟାବହତା ଏବଂ ଚଳିତବର୍ଷର ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ଏଡସ୍ ରୋଗୀ ସମାନ ଚିକିତ୍ସା ପାଇବାରୁ ବଞ୍ôଚତ ହେବା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ବୋଲି କହିଥିଲେ । କୌଣସି ଭେଦଭାବ ବିନା ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ଆମର ସାମୂହିକ ଦାୟିତ୍ୱ । ନିୟମିତ ଭାବେ ଯାଞ୍ଚ କରାଯାଇ ରୋଗୀଙ୍କୁ ଚିହ୍ନଟ କରାଯିବା, ଯୁବବର୍ଗଙ୍କୁ ଏ ସମ୍ପର୍କରେ ସଚେତନ କରିବା, ଏଡସ୍ର ମୂଳୋତ୍ପାଟନ ପାଇଁ ଏଡସ୍ ରୋଗକୁ ଭଲଭାବେ ଜାଣିବା ଏବଂ ଏହାର ପ୍ରତିକାର ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ ଜିଲା ନୋଡାଲ୍ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଜିଲାରେ ଏଡସ୍ ରୋଗୀଙ୍କ ସ୍ଥିତି ଏବଂ ଏଡସ୍ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ୨୦୦୩ ମସିହାରୁ ୨୦୨୧ ଅକ୍ଟୋବର ଶେଷ ସୁଦ୍ଧା ଜିଲାରେ ଚିହ୍ନଟ ହୋଇଥିବା ମୋଟ୍ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ୧୭୫୦ରେ ପହଞ୍ôଚଛି । ଇତିମଧ୍ୟରେ ୪୧୩ଜଣ ଏଡସ୍ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ୧୨୦ ଜଣ ଗର୍ଭବତୀ ମହିଳା ଆକ୍ରାନ୍ତ ଅଛନ୍ତି । ତେବେ ଜିଲାର ଅନ୍ୟାନ୍ୟ ବ୍ଲକ ତୁଳନାରେ ସୋର, ଖଇରା ଓ ସଦର ବ୍ଲକରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି । ଜିଲାରେ ଏବେ ଏଚ୍ଆଇଭି ପରୀକ୍ଷା ବୃଦ୍ଧି ପାଇଥିବା ଡିପିଏମ ରଶ୍ମିତା ମହାନ୍ତି ସୂଚନା ଦେଇଥିଲେ ।
ସଭା ପ୍ରାରମ୍ଭରେ ଜିଲା ସ୍କୁଲ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଅନୁରୂପ ଭାବେ ସଭା କାର୍ଯ୍ୟକ୍ରମ ଶେଷ ପରେ ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂର୍ବରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଜିଲାସ୍ତରୀୟ ବିଶ୍ୱ ଏଡସ୍ ଦିବସ ପାଳନ ଅବସରରେ ଏଡସ ସଚେତନତା ବାର୍ତା ସମ୍ପର୍କିତ ଏକ ରଙ୍ଗୋଲୀ ପ୍ରତିଯୋଗିତା ଏବଂ ସିଡବ୍ଲ୍ୟୁଏସଡି ଷ୍ଟାଫମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲା ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ କକ୍ଷ ଡିପିଏମ ଶ୍ରୀମତୀ ମହାନ୍ତି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବରିଷ୍ଠ ମେଡିକାଲ ଅଫିସର ଅନୁପ କୁମାର ଘୋଷ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ୪ଦିନ ଧରି ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଏଡସ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବ । ସେହିପରି ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
