ବାଲେଶ୍ୱର : ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲା, ଗିରଫ ୩ ରେଳ ଅଧିକାରୀଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ
ଭୁବନେଶ୍ଵର/ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲା । ଘଟଣାରେ ଗିରଫ ତିନି ରେଳ ଅଧିକାରୀଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ । ଏହି ତିନି ରେଳ ଅଧିକାରୀଙ୍କ ବିରୋଧରେ ପ୍ରମାଣ ନଷ୍ଟ ଏବଂ ଉଦ୍ଦେଶ୍ୟ ବିହୀନ ହତ୍ୟା ଅଭିଯୋଗ ରୁଜୁ ହୋଇଛି ।
ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଆମିର ଖାନ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ସିଆରପିସି ଦଫା ୩୦୪ ଏବଂ ୨୦୧ ଅଧୀନରେ ଗିରଫ କରିଥିଲା । ଟ୍ରେନ୍ ଦୁର୍ଘଟଣାର ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ସିଗନାଲ୍ ଏବଂ ଯୋଗାଯୋଗ ବିଭାଗର କର୍ମଚାରୀଙ୍କ ଭୁଲ ଏବଂ ଅବହେଳା ଯୋଗୁଁ ଜୁନ୍ ୨ରେ ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା ।
ସୂଚନା ଯେ, ଗତ ଜୁନ୍ ୨ ତରିକା ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲାର ବାହାନାଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ହଠାତ୍ ଲୁପଲାଇନରେ ପଶି ସେଠାରେ ଠିଆ ହୋଇଥିବା ଏକ ମାଲ୍ ଗାଡ଼ିକୁ ଧକ୍କା ଦେଇଥିଲା। ସେହି ସମୟରେ ଡାଉନ୍ ଲାଇନରେ ଆସୁଥିବା ବେଙ୍ଗାଲୁରୁ-ହାଓ୍ବଡା ଏକ୍ସପ୍ରେସର ଶେଷ ଦୁଇ କୋଚ୍ ଓଲଟି ପଡ଼ିଥିବା କରମଣ୍ଡଳ ଏକ୍ସପ୍ରେସର କୋଚ୍ ସହ ଧକ୍କା ହୋଇଥିଲା । ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୯୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା । କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏହି ଟ୍ରେନ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ସନ୍ଦେହ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
