ସରିଲା ବାହୁଡ଼ା ଯାତ୍ରା; ଭଜନ ସନ୍ଧ୍ୟାରେ ବିଭୋର ଦର୍ଶକ
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ କସିପଦା, ପୋଡ଼ାଡ଼ିହା, ନୀଳବାଡ଼ି, ରାଉତପଡ଼ା, ବାଲିଗୋହିରି ପ୍ରଭୃତି ଗ୍ରାମରେ ପବିତ୍ର ବାହୁଡ଼ା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ମାଉସୀ ମା’ଙ୍କ ମନ୍ଦିରରେ ଲୀଳା ଖେଳା ସାରି ନଅ ଦିନ ପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଦେବ ଓ ସୁଭଦ୍ରା ଦେବୀ ରଥରେ ବସି ଭକ୍ତଙ୍କ ଗହଣରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଛନ୍ତି । ବାହୁଡ଼ା ଯାତ୍ରା ଅବସରରେ ସାମାଜିକ ସଂଗଠନ ‘ଦିଶା’ ପକ୍ଷରୁ ଅଷ୍ଟମ ବାର୍ଷିକ ଉତ୍ସବ ପାଳନ ସହିତ ପୋଡ଼ାଡ଼ିହା ଗ୍ରାମ ସ୍ଥିତ ବାବା ତେରଜ୍ୟୋତି ତାରକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ସରକାରଙ୍କ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରୂପସା ସ୍ଥିତ ଆଧ୍ୟାତ୍ମିକ ଭକ୍ତି ସଂଗୀତ ସୁଧାର କଳାକାର ଏବଂ ସଂଗୀତଗୁରୁ ଅର୍ଜୁନ କୁମାର ଦଳାଇ, କଣ୍ଠଶିଳ୍ପୀ ଦୀପ୍ତରାଗ ଦେ, ଅର୍ଚିସ୍ମିତା ଦଳାଇ ଓ ରୁଚିସ୍ମିତା ନାୟକ ଦୀର୍ଘ ସମୟ ଭଜନ ପରିବେଷଣ କରି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମଗ୍ର ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଶେଷରେ ଶତାଧିକ ଭକ୍ତ ପ୍ରସାଦ ସେବନରେ ଆପ୍ୟାୟିତ ହୋଇଥିଲେ । ସଂଗଠନର ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ଜେନା, ଉପଦେଷ୍ଟା ବାଞ୍ଛାନିଧି ଦେଙ୍କ ସମେତ କାର୍ଯ୍ୟକର୍ତ୍ତା ହେମନ୍ତ ସେନାପତି, ଆଲୋକ ବେହେରା, ଜୟନ୍ତ ସେନାପତି, ହିମାଂଶୁ ଜେନା, ଜୁଲୁ ସେନାପତି, ଲୀଳାବତୀ ସେନାପତି, ସନ୍ଧ୍ୟାରାଣୀ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
