ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା : ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ଆହତ ହଜାରେ ପାର୍
ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ମୃତ୍ୟୁ ସଂଖ୍ୟା ଲଗାତର ଭାବେ ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା ୧ ହଜାର ପାର୍ ହୋଇଛି । ଏନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକା ସୂଚନା ଦେଇଛନ୍ତି । ସେହିପରି ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିପାରେ ।
ସେପଟେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନ୍ଡିଆର୍ଏଫ୍, ଓଡ୍ରାଫ ଟିମ୍ ଲଗାତର ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପିରିକି ବାୟୁସେନା ମଧ୍ୟ ସହାୟତା ନେଇଛି ରେଳ ବିଭାଗ । ବାୟୁସେନାର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ସେହିପରି ମୃତ ଦେହ ଚିହ୍ନଟ ଲାଗି ସନ୍ଧାନୀ କୁକୁର ମଧ୍ୟ ନିୟୋଜିତ ହୋଇଛି । ସୂଚନା ଯେ, ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଶନିବାର ଦିନ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ପରେ ଘଟଣାସ୍ଥଳରେ ପହଞ୍ଚିୁ ସ୍ଥିତି ଅନୁଧ୍ୟାନ କରୁଥିବା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୮୮ ଲୋକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ହଜାରେରୁ ଅଧିକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଆହତଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। କେମିତି ସେମାନେ ମେଡିକାଲରେ ପହଞ୍ଚିବେ ତାହାକୁ ଗୁରୂତ୍ବ ଦିଆଯାଉଛି। ଏଥି ସହିତ ପାଖ ଜିଲ୍ଲାରେ ମାଗଣାରେ ଆହତଙ୍କ ଚିକିତ୍ସା କରାଯିବା ସହ ଆବଶ୍ୟକ ସ୍ଥଳେ କଟକ ଓ ଭୁବନେଶ୍ବର ପଠାଯାଉଛି। ଏଥି ସହିତ ଫସିରହିଥିବା ଯାତ୍ରୀଙ୍କ ଯାତ୍ରୀଙ୍କୁ ଘରକୁ ପଠାଇବାକୁ ରାଜ୍ୟ ସରକାର ବସ୍ର ବ୍ୟବସ୍ଥା କରିଛନ୍ତି।

ସେପଟେ ଗତକାଲି ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିସହ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଦୁର୍ଘଟଣା ସ୍ଥଳ ପରିଦର୍ଶନ ପରେ ରେଳ ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନ କରି ଏପରି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଏହି ଦୁର୍ଘଟଣାରୁ ବର୍ତ୍ତି ଗୁରୁତର ହୋଇଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ସହ ଉପଯୁକ୍ତ ଚିକିତ୍ସା ଯୋଗାଇବା ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି।ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ଏଥିନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ। କାହାର ତ୍ରୁଟି ରହିଛି, କ’ଣ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।
