ଟି-୨୦ରେ ଏହି ନୂଆ କୀର୍ତ୍ତିମାନ ସ୍ଥାପନ କଲେ ବାବର ଆଜମ
ଇସଲାମାବାଦ : ଟି-୨୦ରେ ନୂଆ ରେକର୍ଡ କଲେ ପାକିସ୍ତାନ ଅଧିନାୟକ ତଥା ଟପ୍ ବ୍ୟାଟସମାନ ବାବର ଆଜମ। ସେ କ୍ରିସ ଗେଲ ଓ ବିରାଟ କୋହଲିଙ୍କୁ ପଛରେ ପକାଇ ଏହି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଡାହଣହାତୀ ଷ୍ଟାଇଲିଶ ବ୍ୟାଟସମ୍ୟାନ ବାବର ଗତ ରବିବାର ଅପରାଜିତ ୫୯ ରନ୍ର ଇନିଂସ୍ ଖେଳି ତାଙ୍କ ଟିମ ସେଣ୍ଟ୍ରାଲ ପଞ୍ଜାବକୁ ବିଜୟ ଭେଟି ଦେଇଛନ୍ତି। ପାକିସ୍ତାନର ଘରୋଇ ଟି-୨୦ରେ ପଞ୍ଜାବ ସେଣ୍ଟ୍ରାଲ ବାବରଙ୍କ ପାଇଁ ଦକ୍ଷିଣ ପଞ୍ଜାବକୁ ୭ ୱିକେଟରେ ପରାସ୍ତ କରିଛି। ଏହି ୫୯ ରନ୍ର ଇନିଂସ ପରେ ବାବରଙ୍କ ନାଁରେ ନୂଆ ରେକର୍ଡ ଯୋଡ଼ି ହୋଇଯାଇଛି। ବାବର ଏବେ ଟି-୨୦ କ୍ରିକେଟରୁ ଦ୍ରୁତତମ ଖେଳାଳି ଭାବେ ୭ ହଜାର ରନ୍ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି। ସେ ମାତ୍ର ୧୭୫ଟି ଇନିଂସରେ ୭ ହଜାର ରନ ପୂରଣ କରିଛନ୍ତି।
ଏହାପୂର୍ବରୁ କ୍ରିସ ଗେଲ୍ ଟି-୨୦ରେ ସବୁଠାରୁ କମ ଇନିଂସରେ ୭ ହଜାର ରନ ପୂରଣ କରିବାକୁ ସକ୍ଷମ ହୋଇଥିଲେ। ଗେଲ ୧୯୨ଟି ଇନିଂସରେ ଏପରି କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ବିରାଟ ଏହି ମାମଲାରେ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ବିରାଟ କୋହଲି ୨୧୨ ଇନିଂସରେ ୭ ହଜାର ରନ୍ ପୂରଣ କରିଥିଲେ। ଅନ୍ୟପକ୍ଷରେ ବାବର ୩୦ତମ ବ୍ୟାଟସମ୍ୟାନ ଭାବେ ଟି-୨୦ରେ ୭ ହଜାରରୁ ଅଧିକ ରନ କରିଛନ୍ତି। ସେହିପରି ସୋଏବ ମାଲିକ ଓ ମହମ୍ମଦ ହାଫିଜଙ୍କ ପରେ ସେ ତୃତୀୟ ପାକିସ୍ତାନୀ ଭାବେ ଏପରି ରେକର୍ଡ ବୁକରେ ସ୍ଥାନ ପାଇଛନ୍ତି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍କୁ ବିଚାରକୁ ନେଲେ ବାବର ସର୍ବାଧିକ ରନହାସଲକାରୀଙ୍କ ତାଲିକାର ୧୦ ନଂ ସ୍ଥାନରେ ରହିଛନ୍ତି। ସେ ୫୬ଟି ଇନିଂସରେ ୨୨୦୪ ରନ କରିଛନ୍ତି।
