ଏସିଆ କପରେ ଭାରତ ସହ ମ୍ୟାଚକୁ ନେଇ ବାବର ଦେଲେ ବଡ ବୟାନ
ନୂଆଦିଲ୍ଲୀ : ଅଗଷ୍ଟ ୨୭ ରୁ ଆରମ୍ଭ ହେଉଥିବା ଏସିଆ କପ୍ ୨୦୨୨ରେ ପ୍ରଶଂସକ ମାନେ ପୁଣିଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ଦେଖିବାକୁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଯେଉଁଠାରେ ଭାରତୀୟ ଦଳ ୨୦୨୧ ବିଶ୍ୱକପ୍ରେ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଓ ପାକିସ୍ତାନ ଦଳ ପୂର୍ବ ବିଜୟ ବଜାୟ ରଖିବା ପାଇଁ ପ୍ରଚେଷ୍ଟା କରିବ। ଏସିଆ କପରେ ଉଭୟ ଭାରତ ଓ ପାକିସ୍ତାନ ଅଗଷ୍ଟ ୨୮ରୁ ନିଜ ନିଜ ଅଭିଯାନ ଆରମ୍ଭ କରୁଥିବା ଦେଖିବାକୁ ମିଳିବ। ଆଉ ଦର୍ଶକ ମଧ୍ୟ ଉତ୍କଣ୍ଠାରେ ଚାହିଁ ବସିଛି ମ୍ୟାଚ ଉପଭୋଗ କରିବା ପାଇଁ। ଗତ ୧୦ ବର୍ଷ ମଧ୍ୟରେ ଦୁଇ ଦଳ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନଥିବା ବେଳେ ଏହି ସମୟ ମଧ୍ୟରେ ଦୁଇ ଦଳ କେବଳ ଆଇସିସି କିମ୍ବା ଏସିସିର ବହୁଦେଶୀୟ ଟୁର୍ନାମେଣ୍ଟରେ ଲଢୁଥିବା ଦେଖାଯାଇଛି। ତେବେ ଏସିଆ କପ୍ ଇତିହାସରେ ଏହା ପ୍ରଥମ ଥର ହେବ ଯେ, ଉଭୟ ଦଳ ଏକାଧିକ ଥର ପରସ୍ପର ସହ ଲଢିବେ।
ଏସିଆ କପର ୧୫ ତମ ସିଜନର ଫର୍ମାଟ୍ ଓ ଉଭୟ ଦଳର ଫର୍ମକୁ ବିଚାରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅତି କମରେ ୨ ଏବଂ ସର୍ବାଧିକ ୩ ଥର ମ୍ୟାଚ୍ ହେବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ଅନେକ ପ୍ରଶଂସକ ଏହାକୁ ୩ ଟିକିଆ ଟି-୨୦ ମ୍ୟାଚର ଦ୍ୱିପାକ୍ଷିକ ସିରିଜ୍ ଭାବରେ ବିବେଚନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜାମଙ୍କୁ ଯେତେବେଳେ ଏହି ମ୍ୟାଚ ଗୁଡିକ ପାଇଁ ହେଉଥିବା ଚାପ ଉପରେ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେ ମଜାକ ଆନ୍ଦାଜରେ ଏକ ଉତ୍ତର ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ବାବର ଆଜାମଙ୍କୁ ପ୍ରଶ୍ନ ପଚରା ଯାଇଥିଲା ଯେ, ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୩ ଥର ସଂଘର୍ଷ କରିବାର ସମ୍ଭାବନା କହିଛି। ଏଭଳି ପରିସ୍ଥିତିରେ କଣ ପାକିସ୍ତାନ, ଭାରତକୁ ୩-୦ରେ ପରାସ୍ତ କରିପାରିବ ?
ଏହି ପ୍ରଶ୍ନର ଉତ୍ତରରେ ବାବର କହିଥିଲେ, ”ଚାପ କିଛି ନୁହେଁ, ମ୍ୟାଚ ଯେପରି ଖେଳାଯାଏ ସେହିଭଳି ଖେଳିବା ପାଇଁ ପ୍ରୟାସ କରିଥାଉ। ହଁ ସେଠାରେ କେତେକ ଚାପ ଥାଏ ସତ ହେଲେ ପୂର୍ବ ବିଶ୍ବରପରେ ଯେପରି କୌଣସି ପ୍ରଭାବ ପଡିନଥିଲା ଠିକ ସେହିପରି ଏଥର ମଧ୍ୟ କିଛି ପ୍ରଭାବ ପଡିବ ନାହିଁ। ଏଥର ମଧ୍ୟ ଆମର ମ୍ୟାଚ ଜିତିବା ନେଇ ସମ୍ପୂର୍ଣ୍ଣ ବିଶ୍ବସ ରହିଥିବା ବେଳେ ଦକ୍ଷତା ଉପରେ ଗୁରୁତ୍ବ ଦେବୁ ଏବଂ ଆମର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ। ପରିଣାମ ଆମ ହାତରେ ନାହିଁ, କିନ୍ତୁ ଯଦି ଆମ ପ୍ରଚେଷ୍ଟା ସର୍ବୋତ୍ତମ ରହିବ ତେବେ ଫଳାଫଳ ମଧ୍ୟ ଆମ ସପକ୍ଷରେ ଆସିବ।”
ସୂଚନାଯୋଗ୍ୟ ଯେ, ୪ ବର୍ଷ ପୂର୍ବେ ୟୁଏଇ ମାଟିରେ ଏସିଆ କପର ଶେଷ ସିଜନ୍ ମଧ୍ୟ ଖେଳାଯାଇଥିଲା। ହେଲେ ଚଳିତ ବର୍ଷ ଏହା ଶ୍ରୀଲଙ୍କାର ଆୟୋଜନରେ ଖେଳାଯିବ। ଏସିଆ କପ୍ ର ୧୫ ତମ ସିଜନରେ ୬ଟି ଦଳ ଅଂଶଗ୍ରହଣ କରିବେ, ଯାହାକୁ ଦୁଇ ଦଳରେ ବିଭକ୍ତ କରାଯାଇଛି। ଉଭୟ ଗୋଷ୍ଠିର ଶ୍ରେଷ୍ଠ ଦୁଇ ଦଳ ସୁପର-୪ରେ ପହଞ୍ଚି ଯିବେ। ଯେଉଁଠାରେ ସମସ୍ତ ଦଳ ରାଉଣ୍ଡ ରୋବିନ ଫର୍ମାଟରେ ପରସ୍ପର ସହିତ ମୁହାଁମୁହିଁ ହେବେ, ଯେଉଁଥିରେ ଶ୍ରେଷ୍ଠ ୨ ଦଳ ମଧ୍ୟରେ ଫାଇନାଲ ଖେଳାଯିବ।
