ସତ ହେବାକୁ ଯାଉଛି ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ! ପୁଟିନ ଓ ଋଷକୁ ନେଇ କହିଥିଲେ ଏହି ବଡ଼ କଥା
ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବାବା ଭେଙ୍ଗାଙ୍କ ଏକ ପୁରୁଣା ଭବିଷ୍ୟବାଣୀ ବାରମ୍ବାର ଚର୍ଚ୍ଚାରେ ରହିଆସୁଛି । ବାସ୍ତବରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିଛି ଓ ଆଜି ଯୁଦ୍ଧର ୨୮ତମ ଦିନ । ଏହି ପୂରା ପ୍ରସଙ୍ଗରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜଣେ ଶକ୍ତିଶାଳୀ ତଥା ଦବଙ୍ଗ ନେତା ଭାବରେ ଉଭା ହୋଇଛନ୍ତି । ଏପରି ପରିସ୍ଥିତିରେ ନିଜର ବଡ଼ ବଡ଼ ଭବିଷ୍ୟବାଣୀ ପାଇଁ ସାରା ବିଶ୍ୱରେ ଜଣାଶୁଣା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ମନେ ପଡ଼ୁଛି, ଯେଉଁଥିରେ ସେ ପୁଟିନ ଓ ଋଷକୁ ନେଇ ଏକ ବଡ଼ କଥା କହିଥିଲେ ।
ବାସ୍ତବରେ ବାବା ଭେଙ୍ଗା କହିଥିଲେ ଯେ ଏକ ସମୟ ଆସିବ ଯେତେବେଳେ ଋଷ ସମଗ୍ର ଦୁନିଆକୁ ଶାସନ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଓ ୟୁରୋପ ଋଷର କିଛି କରିପାରିବ ନାହିଁ । ବାବା ଭେଙ୍ଗା କହିଥିଲେ ଯେ, “ଋଷ ସବୁଠାରୁ ବଡ ଶକ୍ତି ଭାବରେ ଉଭା ହେବ, ସବୁକିଛି ବରଫ ପରି ତରଳି ଯିବ । କେବଳ ଗୋଟିଏ ଜିନିଷକୁ କେହି ଛୁଇଁ ପାରିବେ ନାହିଁ, ତାହା ହେଉଛି ଭ୍ଲାଦିମିର ପୁଟିନ ଓ ଋଷର ଗର୍ବ । ଋଷକୁ କେହି ଅଟକାଇ ପାରିବେ ନାହିଁ । ୟୁରୋପ ସେତେବେଳେ ଏକ ଅନୁର୍ବର ଭୂମିରେ ପରିଣତ ହେବ ।”
ଏଠାରେ କହି ରଖୁଛୁ ଯେ, ବାବା ଭେଙ୍ଗା ଭବିଷ୍ୟବାଣୀ ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା । ସେ ୫ ହଜାରରୁ ଅଧିକ ଭବିଷ୍ୟବାଣୀ କରିଯାଇଛନ୍ତି, ଯେଉଁଥିରୁ ଅନେକ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି । ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟଦ୍ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରୁଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ ।
୧୨ ବର୍ଷ ବୟସରେ ବାବା ଭେଙ୍ଗାଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ବାସ୍ତବରେ ଏକ ଭୟଙ୍କର ଝଡ଼ ଯୋଗୁଁ ସେ ନିଜ ଆଖିର ଦୃଷ୍ଟି ଶକ୍ତି ହରାଇଥିଲେ । ଭେଙ୍ଗା ବାବାଙ୍କର ୧୯୯୬ ମସିହାରେ ଦେହାନ୍ତ ହୋଇସାରିଛି । ତାଙ୍କର ଭବିଷ୍ୟବାଣୀ କୌଣସି ସ୍ଥାନରେ ଲେଖା ନାହିଁ । ଯଦିଓ ଏହା କୁହାଯାଏ ଯେ ସେ ଏହି ଭବିଷ୍ୟବାଣୀଗୁଡ଼ିକୁ ତାଙ୍କ ଅନୁଗାମୀମାନଙ୍କୁ ମୌଖିକ ଭାବରେ ଜଣାଇଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସଠିକ୍ ବୋଲି ପ୍ରମାଣିତ ହୋଇଛି ଓ ଅନେକ ମଧ୍ୟ ଭୁଲ୍ ବୋଲି ଜଣାପଡିଛି ।
