ବିଶ୍ୱ ମାନବାଧିକାର ଦିବସରେ ଆୟୁର୍ବେଦୀୟ ସ୍ୱାସ୍ଥ୍ୟ ସଭା
କଟକ : ବିଶ୍ୱ ମାନବାଧିକାର ଦିବସ ଜାତିସଂଘ ଆନୁକୂଲ୍ୟରେ ୧୯୫୦ରୁ ପ୍ରତିବର୍ଷ ପାଳନ କରାଯାଉଛି । ବିଶ୍ୱର ପ୍ରତ୍ୟେକ ଦେଶର ଲୋକଙ୍କୁ ସେମାନଙ୍କ ସାମାଜିକ, ସାଂସ୍କୃତିକ, ଶାରୀରିକ ସ୍ୱାସ୍ଥ୍ୟ ଅଧିକାର ସଂପର୍କରେ ସଚେତନ କରାଇବା ଲକ୍ଷ୍ୟ ନେଇ କଟକ କାଜିପାଟଣା ସରକାରୀ ସ୍କୁଲ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଆୟୁର୍ବେଦୀୟ ସ୍ୱାସ୍ଥ୍ୟ ସଭା ପ୍ରଧାନଶିକ୍ଷକ କ୍ଷମାକର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ଡି.ଲିଟ ପ୍ରାପ୍ତ ଆୟୁର୍ବେଦ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ଯୋଗଦେଇ ଆୟୁର୍ବେଦ ଏକ ପାଶ୍ୱର୍ ପ୍ରତିକ୍ରିୟା ବିହୀନ ଚିକିତ୍ସା ହୋଇଥିବାରୁ ଜନସାଧାରଣ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଅଭିପ୍ସାର ସଂପାଦକ ସଂଗ୍ରାମ ନାୟକ, ଆୟୁର୍ବେଦ ବିଶାରଦ ଡାକ୍ତର ମିନତି ମହାରଣା, ସ୍ୱାସ୍ଥ୍ୟ ଗବେଷକ ସୁନିତି ରାଣୀ ମିଶ୍ର ଓ ସୁମିତ୍ରା ସୋରେନ ଯୋଗଦେଇ ସଭିଙ୍କୁ ମର୍ଯ୍ୟାଦା, ସ୍ୱାଧୀନତା, ନ୍ୟାୟ ଓ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ନେଇ ଏ ବର୍ଷ ବିଶ୍ୱ ମାନବାଧିକାର ଦିବସ ପାଳିତ ହେଉଛି ବୋଲି କହିଥିଲେ । ଏହି ଅବସରରେ ଡା. ମହାରଣାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ସ୍ୱାସ୍ଥ୍ୟ ସନ୍ଦେଶ’ ବିତରଣ କରାଯାଇଥିଲା ।
