ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନର ଶେଷ ଦିନରେ ସଚେତନତା ଶୋଭାଯାତ୍ରା
ବାଲେଶ୍ୱର : ବାଲେଶ୍ୱର ଆଞ୍ଚଳିକ ପରିବହନ ବିଭାଗ ଏବଂ ଜିଲା ସଡ଼କ ସୁରକ୍ଷା ସମିତିର ମିଳିତ ସହଯୋଗରେ ପାଳିତ ହେଉଥିବା ସଡ଼କ ସୁରକ୍ଷା ସପ୍ତାହ ୨୦୨୩ର ଶେଷ ଦିନରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସହରର ଗାନ୍ଧୀ ସ୍ମୃତି ଭବନ ପରିସରରୁ ଏହି ଶୋଭାଯାତ୍ରା ବାହାରିଥିଲା ।
ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲା ପ୍ରଶାସନ ଅଥବା ପରିବହନ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ପ୍ରତ୍ୟେକ ସ୍ତରରେ କେବଳ ନିଜସ୍ୱ ଦାୟିତ୍ୱ ନିର୍ବାହରେ ହିଁ ସଡକ ସୁରକ୍ଷା ବାସ୍ତବମୂଖୀ ହୋଇପାରିବ । ଟ୍ରାଫିକ ନିୟମ ମାନିବା ପାଇଁ ଯେତେ ବାଧ୍ୟବାଧକତା କଲେ ମଧ୍ୟ ଗାଡ଼ିଚାଳକ ନିଜର ତଥା ନିଜେ ପରିବାରର ସୁରକ୍ଷା ପାଇଁ ନିଜେ ସଚେତନ ହେଲେ ହିଁ ସଡ଼କ ସୁରକ୍ଷାର ମହତ୍ୱରେ ସାର୍ଥକତା ରହିବ । ତେବେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇପାରିଲେ ସେମାନଙ୍କ ମାଧ୍ୟମରେ ନିଜ ପରିବାର ତଥା ଆଖପାଖ ସମାଜରେ ସଚେତନତା ସୃଷ୍ଟି ହୋଇପାରିବ ବୋଲି କହିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେଶ ପାଣିଗ୍ରାହୀ ଯୋଗଦେଇ ସଡ଼କ ସୁରକ୍ଷା ନିମନ୍ତେ ବାଧ୍ୟତାମୂଳକ ନିୟମ ଲାଗୁ କରିବା ଅପେକ୍ଷା କେବଳ ଜନସଚେତନତା ଦ୍ୱାରା ଦୁର୍ଘଟଣାକୁ ରୋକାଯିବା ସହିତ ଧନଜୀବନ ରକ୍ଷା ହୋଇପାରିବ । ତେବେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିଛି ବୋଲି ଆଶାପ୍ରକାଶ କରିଥିଲେ ।
ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ସଡ଼କ ସୁରକ୍ଷା ସପ୍ତାହ ପାଳନର ଆଭିମୁଖ୍ୟ ଏବଂ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏମ୍ଭିଆଇ ସ୍ୱହା ହେମରମ, ଜିଲା ସଡ଼କ ସୁରକ୍ଷା ସମିତିର ସଦସ୍ୟ ବିପ୍ଲବ କୁମାର ମହାନ୍ତି, ଟ୍ରାଫିକ ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତି, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖଙ୍କ ସମେତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବହୁ କର୍ମଚାରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ବହୁ ସଙ୍ଗଠନର ସ୍ୱେଚ୍ଛାସେବୀ ସଚେତନତା ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ । ଏହି ଶୋଭାଯାତ୍ରା ସହର ପରିକ୍ରମା ସହିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠାରେ ପହଞ୍ôଚବା ପରେ ଶେଷ ହୋଇଥିଲା ।
