ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା : ଅଭିଯୁକ୍ତକୁ ୩ ବର୍ଷ ଜେଲ ଓ ୩ ହଜାର ଟଙ୍କା ଜରିମାନା
ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟ ଜଜ୍ ସୁମିତା ଜେନା ଗୁରୁବାର ଏକ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ ସହ ୩ ହଜାର ଟଙ୍କା ଜରିମାନା, ଅନାଦେୟ ଅଧିକ ୨ ମାସ ଜେଲ୍ ଦଣ୍ଡ ରାୟ ଶୁଣାଇଛନ୍ତି । ଏହା ବ୍ୟତିତ ପୀଡିତା ନାବାଳିକାଙ୍କୁ କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯେ, ଗତ ୨୦୨୧ମସିହା ଏପ୍ରିଲ ୨୫ ତାରିଖରେ ଜନୈକା ନାବାଳିକା ଜଣକ ପଡୋଶୀ ଘରୁ ଟିଭି ଦେଖି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ । ଉକ୍ତ ସମୟରେ ଅଭିଯୁକ୍ତ ମୟୁରଭଞ୍ଜ ଜିଲାର ବିଶୋଇ ଥାନା ଅନ୍ତର୍ଗତ ଫୁଲଝରି ଗ୍ରାମର ୨୩ ବର୍ଷ ବୟସ୍କ ସମ୍ବର ସରେନ ବାଟରୁ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣଙ୍କ ଜୋରରେ ପାଟି କରିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକମାନେ ପୀଡିତା ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ପୋଲିସରେ ଜିମା ଦେଇଥିଲେ । ଏନେଇ ପୀଡିତାଙ୍କ ବାପା ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଥାନାରେ ମାମଲା (ନଂ. ୧୬/୨୧) ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାମଲାର ବିଚାର ସମୟରେ ୧୬ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୋଲିସର ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି । ଉକ୍ତ ମାମଲାକୁ ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲାକୁ ପରିଚାଳନା କରୁଥିଲେ ।
