ଡାକ୍ତରୀ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣା : ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ବଳବତ୍ତର ରହିବ
ନୂଆଦିଲ୍ଲୀ : ନିଟ-ପିଜି କାଉନସେଲିଂରେ ବିଳମ୍ବ ନେଇ ଜାତୀୟ ରାଜଧାନୀରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଗତ ସୋମବାର ପୋଲିସ ଓ ଡାକ୍ତର ଧସ୍ତାଧସ୍ତି ହୋଇଥିଲେ । ପୋଲିସ ଅମାନବୀୟ ଭାବେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ବଳବତ୍ତର ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଡାକ୍ତର ।
ପ୍ରାୟ ୧ ମାସ ହେବ ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏସନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଗତକାଲି ସେମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବାବେଳେ ୪୦୦୦ ଡାକ୍ତରଙ୍କୁ ସରୋଜିନୀ ନଗରରେ ଅଟକ ରଖିଥିଲା ପୋଲିସ । ଆନ୍ଦୋଳନରତ ମହିଳା ଡାକ୍ତରଙ୍କୁ ପୋଲିସ ଠେଲାପେଲା କରିଥିଲା । ଯେଉଁଥିରେ କିଛି ଡାକ୍ତରଙ୍କୁ ଆଘାତ ଲାଗିଥିଲା । ଡାକ୍ତରଙ୍କ ଏହି ଆନ୍ଦୋଳନ ପାଇଁ ୩ଟି ସରକାର ଡାକ୍ତରଖାନା ସଫଦରଗଞ୍ଜ, ଆରଏମଏଲ ଏବଂ ଲେଡି ହାଡିଂରେ ଚିକିତ୍ସା ସେବା ବ୍ୟାହତ ହୋଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ସଫଦରଜଙ୍ଗ ହସ୍ପିଟାଲରୁ ଆମର ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛୁ । ସହରରେ ରାତ୍ରି କର୍ଫ୍ୟୁ ଲାଗୁ ହୋଇଥିବାରୁ ଆମେ ସଫଦରଜଙ୍ଗକୁ ଫେରିଛୁ ଏବଂ ସେଠାରୁ ଆମର ବିରୋଧ ଜାରି ରଖିବୁ ବୋଲି ଏଫଓଆରଡିଏ ସାଧାରଣ ସମ୍ପାଦନ କୁଳ ସୌରଭ କୌସିକ କହିଛନ୍ତି । ହାଡଭଙ୍ଗା ଶୀତରେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି ।
ସୂଚନା ଯେ, ଗତ ସୋମବାର ହୋଇଥିବା ଘଟଣା ଦେଶର ସ୍ବାସ୍ଥ୍ୟ କ୍ଷେତ୍ରରେ ଇତିହାସରେ ଏକ କଳା ଦିବସ। ଦିଲ୍ଲୀର ନିଟ-ପିଜି କାଉନସେଲିଂ ୨୦୨୧କୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିବା ରେସିଡେଣ୍ଟାଲ୍ ଡାକ୍ତରମାନେ ପୋଲିସ୍ ଦ୍ବାରା ଅତି ନିର୍ମମ ଭାବରେ ଅତ୍ୟାଚାର କରାଯାଇଛି । ପୋଲିସର ଏ କାର୍ଯ୍ୟକୁ ନିନ୍ଦା କରାଯାଇଛି । ଆମେ ଦେଶର ସମସ୍ତ ରାଜ୍ୟ ଆରଡିଏମାନଙ୍କୁ ଏହି ଆନ୍ଦୋଳନରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ଆନ୍ଦୋଳନରତ ଡାକ୍ତର ।
