କାଲିମେଳାରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ସଦର ମହକୁମା ବୁଦୁଗୁଡା ସାହିରେ ଆଜି ଜଣେ ଯୁକ୍ତ ୩ ରେ ପଢ଼ୁଥିବା ଛାତ୍ରୀ ସେ ରହୁଥିବା ଭଡା ଘରେ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । କାଲିମେଳା ଗୋପବନ୍ଧୁ ଆଂଚଳିକ ମହାବିଦ୍ୟାଳୟର ଯୁକ୍ତ ୩ରେ ପଢ଼ୁଥିବା ତିନି ଜଣ ଛାତ୍ରୀ ବୁଦୁଗୁଡ଼ା ଗ୍ରାମର ବୁଜି ଗୌଡ଼ ନାମକ ବ୍ୟକ୍ତିଙ୍କ ଘରେ ଏକ ମାସ ଧରି ଭଡ଼ା ନେଇ ରହୁଥିଲେ । ସେଠାରେ ରହୁଥିବା ତିନି ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ପଡ଼ିଆ ବ୍ଲକ ଶିମିଳିବାଞ୍ଛା ପଂଚାୟତ ଏମଭି ୬୧ ଗ୍ରାମର ଚନ୍ଦନା ବିଶ୍ୱାସ । ଗତକାଲି ମଧ୍ୟରାତ୍ରରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଚନ୍ଦନା ଯୁକ୍ତ ୩ର ପ୍ରଥମ ବର୍ଷ ଛାତ୍ରୀ ବୋଲି ତାଙ୍କ ସହ ଭଡାରେ ରହୁଥିବା ଦୁଇଜଣ ଛାତ୍ରୀ ପ୍ରକାଶ କରିଛନ୍ତି । ସେମାନଙ୍କ କହିବାନୁଯାୟୀ, ସମସ୍ତେ ରାତିରେ ଖାଇ ସାରିବା ପରେ ଗୋଟିଏ ଘରେ ଶୋଇଥିଲେ । ଦୁହେଁ ସକାଳୁ ଉଠି ଚନ୍ଦନା ଘରେ ନଥିବା ଦେଖି ଚନ୍ଦନା ଶୌଚାଳୟ ଯାଇଥିବା ଭାବିଥିଲେ । ତେବେ କିଛି ସମୟ ପରେ ଭିତର ଘର ଖୋଲିଦେଖିବା ବେଳକୁ ସେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଛି । ତୁରନ୍ତ ଦୁଇଛାତ୍ରୀ ଏ ବାବଦରେ ଘର ମାଲିକଙ୍କୁ ଜଣାଇଥିଲେ । ଖବର ପାଇ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେବାପରେ ଶବକୁ ତଳକୁ ଓହ୍ଳାଇ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
