ଓଡ଼ିଶା ପ୍ରଶାସନିକ ସେବା ଶିକ୍ଷାନବିସଙ୍କ ବିଧାନସଭା ପରିଦର୍ଶନ
ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବାର ୩୧ ଜଣିଆ ଶିକ୍ଷାନବିସ ଓଡ଼ିଶା ବିଧାନସଭା ପରିଦର୍ଶନ କରି ବିଧାନସଭାର ଗୃହକାର୍ଯ୍ୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହୋଇଛନ୍ତି ।
ଗୋପବନ୍ଧୁ ପ୍ରଶାସନିକ ତାଲିମ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନବିସମାନେ ରାଜ୍ୟ ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଉପବାଚସ୍ପତି ରଜନୀ କାନ୍ତ ସିଂଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ବାଚସ୍ପତି ଶ୍ରୀ ଆରୁଖ ଶିକ୍ଷାନବିସମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନେ ସଫଳତାର ସହ ତାଲିମ ଗ୍ରହଣ କରି ରାଜ୍ୟର ବିକାଶ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ସାକ୍ଷାତ ଆଲୋଚନା ସମୟରେ ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ରହି ଶିକ୍ଷାନବିସମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ରାଜ୍ୟର ଉନ୍ନତି ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ ।
